ବାଲେଶ୍ୱରରେ ଆଇନସେବା ଶିବିର
ବାଲେଶ୍ୱର : ବାଲେଶ୍ୱର ସହର ଏଡ଼ିଏମ୍ ଛକ ସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଜିଲା ଆଇନସେବା ପ୍ରାଧିକରଣ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଆଇନସେବା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲା ଏବଂ ଦୌରାଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।
ଶିବିରକୁ ଜିଲା ଆଇନସେବା ପ୍ରାଧିକରଣ ସଚିବ ପ୍ରିୟ ରଞ୍ଜନ ଓଝା ପରିଚାଳନା କରିଥିଲେ ।
ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ କୁମାର ମିଶ୍ର, ବାଲେଶ୍ୱର ଜିଲା ଆଇନ୍ଜୀବୀ ସଂଘର ସଭାପତି ମନୋଜ କୁମାର ନାୟକ, ସମ୍ପାଦକ ସମ୍ବିତ୍ କୁମାର ନନ୍ଦୀ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ବାଲେଶ୍ୱର ଜିଲା ଜଜ୍ କୋର୍ଟର ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ଜିଲା ପ୍ରଶାସନର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶିବିରରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲା ମଙ୍ଗଳ ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତ କରଣ ବିଭାଗ, ଉଦ୍ୟାନ ବିଭାଗ, କୃଷି ଏବଂ କୃଷକ ସଶକ୍ତ କରଣ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ, ପଞ୍ଚାୟତିରାଜ ଏବଂ ମିଶନ ଶକ୍ତି ବିଭାଗ, ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଭିନ୍ନ ଭିନ୍ନ ଷ୍ଟଲମାନ ଖୋଲାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମଧ୍ୟ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶିବିରକୁ ଜିଲା ଆଇନସେବା ପ୍ରାଧିକରଣ ରିଟେନର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ପରିଚାଳନା କରିଥିଲେ । ଏଥିରେ ଜିଲା ଜଜ୍କୋର୍ଟ ବାଲେଶ୍ୱରର କର୍ମଚାରୀ, ପ୍ୟାନେଲ୍ ଲୟର୍ ଏବଂ ପାରାଲିଗାଲ ସେଚ୍ଛାସେବୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
