ବିଇଓଙ୍କୁ ଭେଟିଲେ ସୁଣ୍ଢିରା ସ୍କୁଲ ଛାତ୍ରଛାତ୍ରୀ ଓ ଅବିଭାବକ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁଣ୍ଢିରା ଉପ୍ରା ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଉଚ୍ଚ କତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ୱେ ଶିକ୍ଷାବର୍ଷର ୭ମାସ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହେଲେନି । ଶେଷରେ ଏହା ପ୍ରତିବାଦରେ ସୋମବାର ଦିନ ଶତାଧିକ ଛାତ୍ରଛାତ୍ରୀ ଓ ଅବିଭାବକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରିଥିଲେ । ବିଇଓ ଗୋଲକ ପ୍ରସାଦ ପାଢୀ ୭ଦିନ ମଧ୍ୟରେ ଶିକ୍ଷକ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ସେମାନେ ଫେରିଯାଇଥିଲେ । ଗ୍ରାମବାସୀଙ୍କର କହିବା ମୁତାବକ ଏହି ବିଦ୍ୟାଳୟରେ ସୁଣ୍ଢିରା ବ୍ୟତିତ ମଇତାପୁର , ପୁର୍ବପଡା,ନୁଆସାହି ଗ୍ରାମରୁ ବର୍ତ୍ତମାନ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ୭୮ଜଣ ପିଲା ପଢୁଥିବା ବେଳେ ଏବେ ମାତ୍ର ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଅଫିସ କାର୍ଯ୍ୟରେ ଜଣେ ଶିକ୍ଷକ ବ୍ୟସ୍ତ ରହିବା ସମୟରେ ଅନ୍ୟ ଜଣକୁ କ୍ଲାସ ନେବା କଷ୍ଟସାଧ୍ୟ ହୋଇ ପଡୁଛି । ଯାହା ଫଳରେ ପିଲା ମାନଙ୍କ ପାଠପଢା ବ୍ୟାଘାତ ହେଉଛି । ଶିଘ୍ର ସମସ୍ୟାର ସମାଧାନ ନହେଲେ ଅବିଭାବକ ମାନେ ଆନ୍ଦୋଳନକୁ ଓହ୍ଳାଇବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଇଓଙ୍କୁ ଯୋଗାଯୋଗ କରିବାରେ ଯଥାଶୀଘ୍ର ସେମାନଙ୍କର ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।
