ହିମାଚଳ ପ୍ରଦେଶରେ ଭାଙ୍ଗିବ ପୂର୍ବ ଧାରା, କ୍ଷମତା ବଜାୟ ରଖିବ ବିଜେପି : ପ୍ରଧାନମନ୍ତ୍ରୀ
ଶିମଲା : ହିମାଚଳ ପ୍ରଦେଶରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ପରିବର୍ତ୍ତନ ନେଇ ଜାରି ରହିଥିବା ଧାରାକୁ ସମାପ୍ତ କରିବ ଭାରତୀୟ ଜନତା ପାର୍ଟି । ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦଳ କ୍ଷମତା ବଜାୟ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନର୍ବାଚନୀ ପ୍ରଚାରରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସୋଲାନର ଥୋଡୋ ମୈଦାନରେ ଦଳ ଦ୍ବାରା ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି,‘‘କଂଗ୍ରେସ ନେତୃତ୍ୱାଧୀନ ମିଳିତ ସରକାରର ବିପୁଳ ଦୁର୍ନୀତି ଓ ଦୁର୍ବଳ ଶାସନକୁ ଦେଶବାସୀ ଦେଖିସାରିଛନ୍ତି । ସ୍ଥିର ସରକାର ବିନା ପ୍ରଗତି ସମ୍ଭବ ନୁହେଁ ଏକାଥା ଜନତା ହୃଦୟଙ୍ଗମ ମଧ୍ୟ କରି ସାରିଛନ୍ତି । ତେଣୁ ସେମାନେ ଏକ ସ୍ଥିର ଓ ଦୃଢ ସରକାର ସପକ୍ଷରେ ନିଶ୍ଚୟ ଭୋଟ ଦେବେ । ଭାରତୀୟ ଜନତା ପାର୍ଟି ବିକାଶର କେଉଁ ଧାରାକୁ ଛାଡି ନାହିଁ । ତେଣୁ ୨୦୧୯ରେ ସେମାନେ ଆମକୁ ପୁଣି ଥରେ ନିର୍ବାଚିତ କଲେ । ସେହିପରି କେବଳ ସାଧାରଣ ନିର୍ବାଚନ ନୁହେଁ, ବଂର ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଏକାଧିକ ରାଜ୍ୟରେ ଜନମତ ପାଇ ସରକାର ଗଠନ କରିବାରେ ସଫଳ ହେଲା ।’’
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟ ପ୍ରଦେଶ ଭଳି ଅନେକ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ଚଳିତ ଥର ମଧ୍ୟ ହିମାଚଳ ପ୍ରଦେଶରେ ପୂର୍ବ ଧାରା ଭାଙ୍ଗିବାକୁ ଯାଉଛି । ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ନେଇ ପ୍ରଧାନମନ୍ତ୍ରୀ ଦମ୍ଭୋକ୍ତି ଦେଖାଇଥିଲେ । ତେବେ ୧୨ ତାରିଖରେ ହିମାଚଳ ପ୍ରଦେଶରେ ଭୋଟିଂ ହେବାକୁ ଯାଉଥିବା ବେଳେ ଏବେ ଜୋରଦାର ପ୍ରଚାର ଜାରି ରହିଛି । ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର ମଙ୍ଗ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି ।
