୬୨ତମ ଓଡ଼ିଶା ରାଜ୍ୟ ସିନିୟର ଚେସ ପ୍ରତିଯୋଗୀତା ଉଦ୍ଘାଟିତ, ଭାଗ ନେଲେ ୧୦୭ ପ୍ରତିଯୋଗୀ
ବାଲେଶ୍ୱର : ବାଲେଶ୍ୱର କ୍ଲବ ପରିସରରେ ୬୨ତମ ଓଡ଼ିଶା ରାଜ୍ୟ ସିନିୟର ଚେସ ପ୍ରତିଯୋଗୀତା ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଛି । ବାଲେଶ୍ୱର କ୍ଲବ, ଲାୟନ୍ସ କ୍ଲବ ଅଫ ବାଲେଶ୍ୱର ସ୍ୟାଣ୍ଡ ସିଟି ଏବଂ ଜିଲା ଚେସ୍ ଏସୋସିଏସନ୍ର ମିଳିତ ଉଦ୍ୟମ ଏବଂ ଜାତୀୟ ଚେସ୍ ସଂଘର ତତ୍ତ୍ୱାବଧାନରେ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି । ଏହି ପ୍ରତିଯୋଗୀତା ଆସନ୍ତା ୮ ତାରିଖରେ ସମାପ୍ତ ହେବ । ପ୍ରତ୍ୟେକ ଖେଳାଳୀ ସୁଇସ ଲିବ ପଦ୍ଧତିରେ ୮ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ସୂଯୋଗ ପାଇବେ । ପ୍ରତି ମ୍ୟାଚ୍ ପାଇଁ ଜଣେ ଖେଳାଳୀଙ୍କୁ ୯୦ ମିନିଟ୍ ସମୟ ମିଳିବ । ପ୍ରତିଯୋଗୀତାରେ ଓଡ଼ିଶାର ୧୦୭ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ସେଥିମଧ୍ୟରୁ ୫୮ଜଣ ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ରେଟେଡ ଖେଳାଳୀ ସାମିଲ ହୋଇଛନ୍ତି । ଏହା ସର୍ବକାଳର ଶ୍ରେଷ୍ଠ ରାଜ୍ୟ ସିନିୟର ପ୍ରତିଯୋଗୀତା ଅଟେ । ଏଥିରେ ୫ଜଣ ରାଜ୍ୟ ଚାମ୍ପିୟନ ରାଉରକେଲାର ଉତ୍କଳ ରଞ୍ଜନ ସାହୁ, ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର, ପୁରୀର ମନୋଜ ପାଣିଗ୍ରାହୀ ଓ ରାଜେଶ ନାୟକ ଏବଂ ବାଲେଶ୍ୱରର ଦେବାଶିଷ ଚକ୍ରବର୍ତ୍ତୀ ମଧ୍ୟ ଭାଗ ନେଇଛନ୍ତି । ଏହି ପ୍ରତିଯୋଗୀତାର ଶ୍ରେଷ୍ଠ ୪ଜଣ ଖେଳାଳୀ ଆସନ୍ତା ଡିସେମ୍ବର ୨୨ ତାରିଖ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ୫୯ତମ ସିନିୟର ଜାତୀୟ ଚେସ୍ ପ୍ରତିଯୋଗୀତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ବୋଲି ସଂଘ ପକ୍ଷରୁ ଜଣାପଡ଼ିଛି ।
ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପ୍ରତିଯୋଗୀତାକୁ ଉଦ୍ଘାଟିତ କରିଛନ୍ତି । ଆୟୋଜିତ ସଭାକୁ ଜିଲା ଚେସ୍ ସଂଘର କାର୍ଯ୍ୟନିର୍ବାହୀ ସଭାପତି ପ୍ରଦୀପ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । ଶିଳ୍ପପତି ସଂଗ୍ରାମ ଦାସ, ବାଲେଶ୍ୱର କ୍ଲବର ସମ୍ପାଦକ ସରସ ବୋଧନୱାଲା, ଖେଳ ସମ୍ପାଦକ ଅରୁଣ ଖଣ୍ଡେଲୱାଲ, ଉପ-ସଭାପତି ପ୍ରକାଶ ମହାନ୍ତି, ବାଲେଶ୍ୱର ଲାୟନ୍ସ କ୍ଲବ ସ୍ୟାଣ୍ଡ ସିଟିର ସଭାପତି ଭୁଷଣ ମିଶ୍ର, ଜିଲା ଚେସ୍ ସଂଘର ସମ୍ପାଦକ ମନୋରଞ୍ଜନ ପଣ୍ଡା, ରାଜ୍ୟ ଏକ୍ଜିକ୍ୟୁଟିଭ୍ ସଦସ୍ୟ ସନ୍ଦୀପ ସାମନ୍ତରାୟ, ଜିଲା ଚେସ୍ ସଂଘର ସଦସ୍ୟ ଏଶ୍ୱର୍ଯ୍ୟ ସେନାପତି ମଞ୍ଚାସୀନ ରହି ଖେଳାଳୀମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବିଭିନ୍ନ ଉପାୟମାନ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ ।
