ନୀଳଗିରି ଲ୍ୟାମ୍ପରେ ଆଦିବାସୀଙ୍କ ନାଁରେ ମିଥ୍ୟା କୃଷି ଋଣ; ପ୍ରତିବାଦରେ ଧାରଣା ଦେଲେ ପୂର୍ବତନ ବିଧାୟକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପସରେ ଆଦିବାସୀଙ୍କ ନାଁରେ ମିଥ୍ୟା କୃଷି ଋଣ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି । ଉଚ୍ଚସ୍ତରୀୟ ତଦନ୍ତ ସହ ନ୍ୟାୟ ମିଳିବା ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନୀଳଗିରି ଏଆରସିଏସ୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଧାରଣା ଦେଇଛନ୍ତି ।
ସୂଚନା ଯେ, ନୀଳଗିରି ଲ୍ୟାମ୍ପ ସଜନାଗଡ଼ ସୋସାଇଟି ଅଧିନ ନୂଆସାହି, ଜାମୁଢ଼ିସାହି ଗ୍ରାମର ୧୨ରୁ ଉର୍ଦ୍ଧ୍ୱ ଆଦିବାସୀ ଲୋକଙ୍କ ଋଣ ନ କରି ମଧ୍ୟ ଏମାନଙ୍କ ମୁଣ୍ଡରେ ଏବେ ହଜାର ହଜାର ଟଙ୍କାର ଋଣ । ଜଣେ ଦଲାଲ କିଛି ଲ୍ୟାମ୍ପ, ସମବାୟ ସମିତିର ଅସାଧୁ କର୍ମଚାରୀଙ୍କ ସହଯୋଗରେ କାଳିଆ ଯୋଜନାରେ ଋଣ କରାଇଦେବାକୁ କହି ସେମାନଙ୍କ ଠାରୁ ଆଧାରକାର୍ଡ଼ ଓ ଫଟୋ ପରିଚୟପତ୍ର ମିଛ ଟିପ ଓ ଦସ୍ତଖତ କରି ନେଇ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଋଣ ଉଠାଇ ଆତ୍ମସାତ୍ କରାଯାଇଥିବାର କିଛି ମାସ ପରେ ସେମାନଙ୍କ ନାମରେ ଚାଷ ଋଣ ହୋଇଥିବା ନେଇ ଆର୍ଟିଆଇ ତଥ୍ୟରୁ ଜାଣିବାକୁ ପାଇଥିଲେ । ଏହି ଲୋକ ମାନେ ଋଣ ବିଷୟରେ କିଛି ଜାଣି ନାହାନ୍ତି ଓ ସେମାନଙ୍କ ମଧ୍ୟରୁ କେତେଜଣ ଭୂମିହୀନ ହୋଇଥିଲେ ମଧ୍ୟ ତାଙ୍କ ନାମରେ ମିଛରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ବ୍ୟାପକ ଅନିୟମିତତା ଓ ଠକେଇ ଶିକାର ହୋଇଥିବା ଆଦିବାସୀ ଚାଷୀ ଭାଇ ମାନେ ଏ ସମ୍ପର୍କରେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଉକ୍ତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି ନୀଳଗିରି କୋ-ଅପରେଟିଭ ବ୍ୟାଙ୍କର ଶାଖା ପରିଚାଳକ ଓ ବ୍ୟାଙ୍କର ଏକାଉଣ୍ଟାଡ୍ ଏବଂ ସଜନାଗଡ଼ ଲ୍ୟାମ୍ପର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ମାତ୍ର ଆଦିବାସୀ ଲୋକଙ୍କ ମୁଣ୍ଡରେ ଜାଲିଆତି ହୋଇଥିବା ଋଣର ଭାର ବ୍ୟାଙ୍କ ଖାତାରୁ କଟି ନଥିଲା । ଶେଷରେ ଗରିବ ଚାଷୀମାନେ ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କୁ ଜଣାଇଥିଲେ । ଏନେଇ ଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶନିବାର ପୂର୍ବାହ୍ନରେ ନୀଳଗିରି ଏଆର୍ସିଏସ୍ଙ୍କ ଅଫିସ ଆଗରେ ତିନୋଟି ବିଷୟରେ ଧାରଣା ଦେଇଥିଲେ । ଘଟଣା ସ୍ଥଳରେ (ଏଆର୍ସିଏସ) ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ନୀଳଗିରି ଉର୍ମିଳା ଦାସ, ନୀଳଗିରି କୋ-ଅପରେଟିଭ୍ ବ୍ୟାଙ୍କର ଶାଖା ପରିଚାଳକ ଅରୁଣ କୁମାର ମାଇତି ଧାରଣା ସ୍ଥଳରେ ପହଞ୍ôଚ ଉକ୍ତ ବିଷୟକୁ ସ୍ୱୀକାର କରିବା ସହ ମିଥ୍ୟାରେ ଯେଉଁ ଚାଷୀମାନଙ୍କର ଋଣ ନାମ ଖାତାରେ ଅଛି ସେହି ଲୋକମାନଙ୍କର ନାମ ଖାତାରୁ କଟାଜିବା ନେଇ ଜିଲା ସେକ୍ରେଟାରୀ ଏବଂ ବିଆରସିଏସଙ୍କୁ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଲିଖିତ ଭାବରେ ଜଣାଇବାର ପ୍ରତିଶ୍ରୁତି ଦେଲା ପରେ ଗଣ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
