ଗୁଜରାଟ ନିର୍ବାଚନ: ଇସୁଦାନ ଗଡଭୀ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସୁଦାନ ଗଡଭୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରାୟ ୧୬.୫ ଲକ୍ଷ ଲୋକଙ୍କ ଠାରୁ ମତାମତ ଆଧାରରେ ଆପ୍ ଇସୁଦାନଙ୍କୁ ମନୋନୀତ କରିଛି | ପ୍ରାୟ ୭୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଇସୁଦାନ ଗଡଭୀ ସେମାନଙ୍କ ପ୍ରଥମ ପସନ୍ଦ ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ପରେ ଇସୁଦାନ ଗଢ଼ବୀ କହିଥିଲେ, ଅରବିନ୍ଦ କେଜ୍ରିୱାଲଙ୍କ ରାଜନୀତିରେ ଚାଷୀ ପରିବାରରୁ ଆସିଥିବା ମୋ ଭଳି ଜଣେ ସାଧାରଣ ଲୋକକୁ ବଡ଼ ଦାୟିତ୍ୱ ଦିଆଯାଇଛି। ଭଲ କରିବା ପାଇଁ ମୁଁ ଚେଷ୍ଟା କରିବି। ଭଗବାନ ମୋତେ ସବୁ ଦେଇଛନ୍ତି। ବର୍ତ୍ତମାନ ମୋର ଦାୟିତ୍ୱ ଗୁଜରାଟବାସୀଙ୍କୁ ସେହି ସବୁ ସେବା ଦେବାକୁ ଯାହା ସେମାନେ ଆବଶ୍ୟକ କରନ୍ତି। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଲୋକଙ୍କ ସେବା କରିବି। ରାଜନୀତିରେ ପାଦ ଥାପିବା ପୂର୍ବରୁ ଇସୁଦାନ ଜଣେ ସାମ୍ବାଦିକ ଥିଲେ। ଭିଟିଭି ଗୁଜରାଟୀର ନ୍ୟୁଜ୍ ଶୋ’ ‘ମହାମନ୍ଥନ’ର ଆଙ୍କର ଭାବେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
ଦୂରଦର୍ଶନର ‘ଯୋଜନା’ କାର୍ଯ୍ୟକ୍ରମରୁ ଇସୁଦାନ ତାଙ୍କ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ସେଠାରୁ ସେ ଇଟିଭି ଗୁଜରାଟୀକୁ ଯାଇଥିଲେ। ସେଥିରେ ସେ ପୋରବନ୍ଦର ପ୍ରତିନିଧି ଭାବେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ସେଠାରେ ଥିବା ବେଳେ ୧୫୦ କୋଟି ଟଙ୍କାର ଏକ ଦୁର୍ନୀତିକୁ ସେ ଲୋକଲୋଚନକୁ ଆଣିଥିଲେ। ତାଙ୍କର ସେହି ରିପୋର୍ଟ ଆଧାରରେ ଗୁଜରାଟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲେ। ୨୦୧୫ରେ ଇସୁଦାନ ଭିଟିଭି ଗୁଜରାଟୀରେ ଯୋଗ ଦେଲେ। ସେ ଚ୍ୟାନେଲ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗୁଜରାଟ ମିଡିଆରେ ଚ୍ୟାନେଲ ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ସେ ଥିଲେ ସର୍ବ କନିଷ୍ଠ ସାମ୍ବାଦିକ। ତାଙ୍କର ଶୋ’ ଗୁଡ଼ିକ ଗୁଜରାଟର ଗାଁ ଗହଳିରେ ବେଶ୍ ଲୋକପ୍ରିୟ ହୋଇପାରିଥିଲା। ୨୦୨୧ ଜୁନ୍ ମାସରେ ଇସୁଦାନ ଆପ୍ରେ ଯୋଗ ଦେଇଥିଲେ। ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଦଳର ଗୁଜରାଟ ସଭାପତି ଗୋପାଳ ଇଟାଲିଆ ମଧ୍ୟ ଥିଲେ। ଇଟାଲିଆ ହିଁ ଇସୁଦାନ ଗଢ଼ବୀଙ୍କୁ ଆପ୍କୁ ଆଣିଥିଲେ।
ସୂଚନା ଯେ, ନିର୍ବାଚନ ଆୟୋଗ ଗତକାଲି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ୧ ଓ ୫ ରେ ଅନୁଷ୍ଠିତ ହେବ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ରେ ଗୁଜରାଟ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ।
