ଜିଲ୍ଲା ସ୍ତରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ
ଜଳେଶ୍ୱର : ଆଜି ଜିଲାସ୍ତରୀୟ ୭୧ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଗୋପୀମୋହନପୁର ପଂଚାୟତ ଅଧିନ ମାଧବଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ଗୋ ସମ୍ବର୍ଦ୍ଧନା ଉତ୍ସବକୁ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ । ଜିଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ବନମାଳୀ ସାହୁ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତାଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଯୋଗ ଦେଇ ଗୋ ସମ୍ବର୍ଦ୍ଧନା ଉତ୍ସବ ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଉପାଧକ୍ଷା ସଂଜିତା ସେନାପତି, ସରପଂଚ ସାଗରବାଳା ଜେନା, ମଧୁ ସେନାପତି, ଶିବ ପ୍ରସାଦ ଦାସ, ସଦାଶିବ ମହାପାତ୍ର, ଅରୁଣ ପ୍ରଧାନ, ମନୋରଂଜନ ଦାସ, ଦୁଗ୍ଧ ସମିତିର ମୁଖ୍ୟ ରଶ୍ମିରେଖା ବିନ୍ଧାଣୀ ପ୍ରମୁଖ ଯୋଗ ଦେଇ ଗୋଷ୍ଠାଷ୍ଟମୀର ବୈଶିଷ୍ଟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୋ ପୂଜନ, ଚାଷୀ ଓ ବୈଜ୍ଞାନୀକ ମତ ବିନିମୟ, ଘାସଚାଷର ଉପକାରିତା ସଂପର୍କରେ ଆଲୋଚନା ହୋଇଥିବା ବେଳେ ଜିଲା ଅତିରିକ୍ତ ପ୍ରାଣୀ ଅଧିକାରୀ ଡ. ରଂଜନ କୁମାର ଦାସ ମଂଚ ସଂଚାଳନା କରି ‘ଆମେ ଦୁଇ, ଆମର ଦୁଇ, ଆମେ ପାଳିବା ବାଛୁରୀ ଗାଈ’ ସ୍ଲୋଗାନ ସଂପର୍କରେ କହିଥିଲେ । ଜଳେଶ୍ୱର ବ୍ଲକର ବିଭିନ୍ନ ଏସ୍ଏଚ୍ଜି ଓ ବ୍ୟକ୍ତିଗତ ଭାବେ ଛେଳି, କୁକୁଡା, ଘୁଷୁରି ଓ ବତକ ପାଳନ ଲାଗି ୭୦ଟି କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା । ଗାଈ, ଛେଳି, କୁକୁଡା ଓ ଘାସ ଚାଷରେ ଜିଲାସ୍ତରୀୟ ୧୨ଜଣ ଚାଷୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ୩ଜଣ କୃତି ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା । ମାଧବଚନ୍ଦ୍ର ହାଇସ୍କୁଲରେ ଛାତ୍ରମାନଙ୍କ ମଧ୍ୟରେ ଗାଈ, ଛେଳି ଓ କୁକୁଡା ଚାଷ ନିମନ୍ତେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲା ଅତିରିକ୍ତ ପ୍ରାଣୀ ଅଧିକାରୀ ଡ. ଅଜିତ୍ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
