ବନ୍ଦ ହୋଇଥିବା ସମସ୍ତ ସ୍କୁଲ ଗୁଡ଼ିକୁ ତୁରନ୍ତ ଖୋଲିବା ଦାବୀରେ ଛାତ୍ର ଓ ଅଭିଭାବକ ବିକ୍ଷୋଭ
ବାଲେଶ୍ୱର : ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ଏବଂ ବିଦ୍ୟାଳୟ ସୁରକ୍ଷା କମିଟି ସହଯୋଗରେ ସୋମବାର ବାଲେଶ୍ୱର ଜିଲାପାଳ ଅଫିସ ସମ୍ମୁଖରେ ଛାତ୍ର ଏବଂ ଅଭିଭାବକଙ୍କ ଦ୍ୱାରା ବିକ୍ଷୋଭ ଅନୁଷ୍ଠିତ ହୋଇଛି । ୨୦୨୨ ନୂତନ ଜାତୀୟ ଶିକ୍ଷାନୀତିର ସୁପାରିସ ଅନୁଯାୟୀ ଆମ ଓଡ଼ିଶା ସରକାର ଶିକ୍ଷାର ବଜେଟ ହ୍ରାସ କରିବା ସହିତ ଶିକ୍ଷାକୁ ସମ୍ପୂର୍ଣ ବ୍ୟବସାୟରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ି ଲାଗିପଡ଼ିଛନ୍ତି । ସେଥିପାଇଁ ଲକ୍ଷ କରାଯାଉଛି ଯେ ସ୍କୁଲଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକଙ୍କ ଅଭାବ, ଆନୁସଙ୍ଗିକ ଜିନିଷ ପତ୍ରର ଅଭାବ, ଶିକ୍ଷକମାନଙ୍କୁ ଅଣଶିକ୍ଷକ କାର୍ଯ୍ୟରେ ନିୟୋଜନ, ଶିକ୍ଷାର ବଜେଟ ହ୍ରାସ କରିବା ସହିତ ସରକାର ନିଜେ ଘରୋଇ ସ୍କୁଲ ଗୁଡ଼ିକୁ ପ୍ରୋତ୍ସାହନ ଦେଇଚାଲିଛନ୍ତି । ଯାହା ଫଳରେ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନର ମାନ କ୍ରମାଗତ ନିମ୍ନଗାମୀ ହେବା ଫଳରେ ପିଲାସଂଖ୍ୟା କମୁଛି । ଏହିସବୁ ସମସ୍ୟାର ସମାଧାନ ନ କରି ସରକାର ଶିରନାସ୍ତି, ଶିରପୀଡ଼ା ନୀତିରେ ସ୍କୁଲ ଗୁଡ଼ିକୁ ବନ୍ଦ କରିଚାଲିଛନ୍ତି ।
ସରକାରଙ୍କର ଏହି ଶିକ୍ଷାମାରଣା ନୀତି ଦ୍ୱାରା ବାଲେଶ୍ୱର ଜିଲାର ଶହ ଶହ ସ୍କୁଲଗୁଡ଼ିକୁ ଛାତ୍ରଭାବର ଆଳରେ ବନ୍ଦ କରାଯାଇଛି । ତେଣୁ ବନ୍ଦ ହୋଇଥିବା ସ୍କୁଲ ଗୁଡ଼ିକୁ ତୁରନ୍ତ ଖୋଲିବା ଦାବୀରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବିଭିନ୍ନ ବ୍ଲକର ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏଆଇଡିଏସ୍ଓର ଛାତ୍ରନେତା ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲାର ଫାଣ୍ଡିଛକ ଠାରେ ସମ୍ମିଳିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାଲେଶ୍ୱର ଜିଲାପାଳ ଅଫିସ ଅଭିମୁଖେ ଯାଇଥିଲେ । ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରା କାରୀମାନେ ଶିକ୍ଷା ବଞ୍ଚାଓ, ସଭ୍ୟତା ବଞ୍ଚାଓ, ବନ୍ଦହୋଇଥିବା ସ୍କୁଲ ଗୁଡ଼ିକୁ ତୁରନ୍ତ ଖୋଲାଯାଉ ଇତ୍ୟାଦି ସ୍ଲୋଗାନ ଦେଇ ରାସ୍ତାରେ ଯାଉଥିବା ସମୟରେ ଅନ୍ୟସ୍କୁଲର ଅଭିଭାବକ ଏବଂ ଛାତ୍ର ମାନେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଜିଲାପାଳ ଅଫିସ ସମ୍ମୁଖରେ ପହଞ୍ôଚବା ପରେ ସଙ୍ଘଠନର ଜିଲା କମିଟି ସଦସ୍ୟ ଅସମାନ ରାଜଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବେ ରାଜ୍ୟସଂଗଠନର ସମ୍ପାଦକ ମଣ୍ଡଳୀର ସଦସ୍ୟ ହରେକୃଷ୍ଣ ଦାସ ଯୋଗ ଦେଇ ୨୦୨୦ ଜାତୀୟ ଶିକ୍ଷା ନୀତିକୁ ତୀବ୍ର ସମାଲୋଚନା କରିଥିଲେ ଓ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ତୁରନ୍ତ ଖୋଲିବା ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ ଜିଲା କମିଟିର ଯୁଗ୍ମ ଆବାହକ ପ୍ରଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୃତ୍ୟଞ୍ଜୟ ସେନାପତି, ନିମାଇ ଚରଣ ଶାହୁ ପ୍ରଦୀପ ଦାସ ନିଶାକର ନାୟକ ଓ ଭରତ ଜେନା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
