ବାଲେଶ୍ୱରରେ ଜାତୀୟ ଏକତା ଦିବସରେ ଅନୁଷ୍ଠିତ ହେଲା ଗଣଦୌଡ଼
ବାଲେଶ୍ୱର : ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ ଅବସରରେ ସମଗ୍ର ଦେଶରେ ଜାତୀୟ ଏକତା ଦିବସ ପାଳିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ର ସଂଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସଦର ଉପକଣ୍ଠ ସମଲପୁର ଛକ ନିକଟରୁ ଏହି ଗଣ ଦୌଡ ବାହାରି ସରସ୍ୱତୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।
ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି ଗଣଦୌଡ଼କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଭାରତ ଏକତ୍ରୀକରଣରେ ଲୌହମାନବଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ସହିତ ଏକକ ରାଷ୍ଟ୍ର ଗଠନରେ ମୁଖ୍ୟଭୂମିକା ଗ୍ରହଣ କରିଥିବା ଜନନାୟକ ପଟେଲଙ୍କ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଅଧ୍ୟାପକ ଘନଶ୍ୟାମ ଗିରି, ଜିଲ୍ଲା ସ୍ୱଛତା ପରାମର୍ଶଦାତା ସ୍ୱର୍ଣ୍ଣଲତା ମହାନ୍ତି, ସରସ୍ୱତୀପୁର ସରପଂଚ କୈଳାସ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ରାଷ୍ଟ୍ରୀୟ ଏକତା ଦିବସରେ ଗଣଦୌଡ଼ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ସ୍ଥିତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଅଧିକାରୀ ନିର୍ମାଲ୍ୟ ବେହେରା ଏହି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ପାଳନ ହେଉଥିବା ରାଷ୍ଟ୍ରୀୟ ଏକତା ଦିବସର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ସରସ୍ୱତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫୋଟଚିତ୍ର ପ୍ରଦର୍ଶନୀ ଓ ଡାକ ବିଭାଗର ଷ୍ଟଲକୁ ଅତିଥିମାନେ ଉଦଘାଟନ କରିବା ସହିତ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜାତୀୟ ଏକତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
