ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ପ୍ରସଙ୍ଗରେ ନବୀନ ନିବାସ ଘେରିଲା ବିଜେପି
ଭୁବନେଶ୍ୱର : ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ମନ୍ତ୍ରୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବିଜେପି ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ଶହ ଶହ କର୍ମୀ ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ଭୁବନେଶ୍ୱର ଶିଶୁଭବନ ଛକ ଠାରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବହୁ କର୍ମୀ ଆହତ ହୋଇଥିବା ବେଳେ କିଛି ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ସୋମବାର ମଧ୍ୟାହ୍ନ ବେଳକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନବୀନ ନିବାସ ଆଡକୁ ଯାଇଥିଲା । ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିନ୍ଦ୍ରା ଭାଙ୍ଗିବାକୁ ଘଂଟ, ଘଂଟା ବଜାଇଥିଲେ ବିଜେପି ନେତୃବୃନ୍ଦ । ସେହିପରି ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ମୁଖା ପିନ୍ଧି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଶିଶୁ ଭବନ ଛକରେ ପୋଲିସ୍ ଅଟକାଇବାରୁ ବିକ୍ଷୋଭକାରୀ-ପୋଲିସ୍ ଖଣ୍ଡଯୁଦ୍ଧ ହୋଇଥିଲା ।
ଏହି ଅବସରରେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରେ ବିଜେଡି ମନ୍ତ୍ରୀ, ବିଧାୟକଙ୍କ ସଂପୃକ୍ତିର ସମସ୍ତ ତଥ୍ୟ ପୋଲିସ ପାଖରେ ରହିଛି । କିନ୍ତୁ ରାଜ୍ୟ ପୋଲିସ ଓ ଓଡିଶା ସରକାର ସମସ୍ତ କଥା ଜାଣିବି କାହିଁକି ନୀରବ ବସିବା ସହ ତଦନ୍ତ କରୁନାହିଁ । ଏହି ୨ଟି ସମ୍ବେଦନଶୀଳ ଘଟଣାର ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ସରକାର ସମୟ ଗଡାଉଛନ୍ତି । ରାଜ୍ୟ ସରକାରଙ୍କୁ ଜାଗୃତ କରିବା ସହ ମୁଖିଆଙ୍କ ନିଦ ଭାଙ୍ଗିବାକୁ ଆଜିର ନବୀନ ନିବାସ ଘେରାଉ ବୋଲି ଡ. ସମ୍ବିତ ପାତ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପର୍ଯ୍ୟନ୍ତ ଦଳ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆର୍ଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।
