ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଦାବିରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର : ରାଜ୍ୟ ଚାଷୀମାନଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରିବା ଦାବିରେ ସୋମବାର ଦିନ ବିଜେଡି ପକ୍ଷରୁ ଭୁବନେଶ୍ୱର ସ୍ଥିତ ରାଜ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ବିଜେଡି ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଂଚିତ କରି ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଏହା ଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଷା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ସମସ୍ତ ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ ବାଧ୍ୟ କରିବା ଲାଗି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।
