ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ
ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ସୋମବାର ପୂର୍ବାହ୍ନରେ କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆର୍ôଥକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଶପଥ ପାଠ କରାଇଛନ୍ତି ।
ଆଜି ଠାରୁ ଅର୍ଥାତ୍ ୩୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଥିବା ସତର୍କତା ସଚେତନତା ସପ୍ତାହ ୦୬ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ସାଧାରଣ ଜନତା ତଥା ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ସ୍ମରଣୀୟ କରିବା ପାଇଁ ସେମିନାର ଆୟୋଜନ କରାଯିବ ସହିତ ରେଳ କର୍ମଚାରୀ ତଥା ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବ୍ୟାନର, ପୋଷ୍ଟର ଇତ୍ୟାଦି ପ୍ରଦର୍ଶିତ କରାଯାଉଅଛି । ଶପଥ ଗ୍ରହଣ ସମାରୋହରେ ରେଳପଥର ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିବାବେଳେ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଅଖଣ୍ଡତା ପାଇଁ ଶପଥ ନେଇଛନ୍ତି । ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି ଶପଥ ଗ୍ରହଣ ସମାରୋହକୁ ସଂଯୋଜନା କରିଥିଲେ ।
