କେନ୍ଦୁଝରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ କର୍ମଚାରୀଙ୍କ ଶପଥ ଗ୍ରହଣ
କେନ୍ଦୁଝର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୋମବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଂପର୍କିତ ଶପଥ ଗ୍ରହଣ କରିଥିଲେ । ରାଜ୍ୟସ୍ତରରେ ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ସ୍ତରରେ ଥିବା ଅଧିକାରୀମାନଙ୍କୁ ଶପଥ କରାଇଥିଲେ । ଏହି କ୍ରମରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସ୍ୱାନ୍ ଭିଡିଓ କନ୍ଫରେନ୍ସିଂ ହଲ୍ଠାରେ ଜିଲ୍ଲାପାଳ ଆଶିଷ ଠାକରେ, ଏସ୍.ପି. ମିତ୍ରଭାନୁ ମହାପାତ୍ର, ଡି.ଏଫ୍.ଓ ଧନରାଜ ଏଚ୍.ଡି., ଆଇ.ଏ.ଏସ୍. ପ୍ରୋବେସନର୍ ଧିମେନ୍ ଚକ୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ୍, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଯଦୁମଣି ମହଲା, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁୂ, ଭାରପ୍ରାପ୍ତ ଡି.ଏସ୍.ପି. ଭିଜିଲାନ୍ସ କେନ୍ଦୁଝର ୟୁନିଟ୍ ଦୈତାରୀ ଘଡାଇଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ । ଏତଦ୍ବ୍ୟତୀତ ବ୍ଲକ୍ ସଦର ମହକୁମାମାନଙ୍କରେ ଓସ୍ୱାନ ମାଧ୍ୟମରେ ଯୋଗଦେଇଥିବା ଅଧିକାରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ତଥା ସରକାରୀ, ନାଗରିକ ସମୁଦୟ ତଥା ଘରୋଇ କ୍ଷେତ୍ର ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ । ପ୍ରତ୍ୟେକ ନଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟ ନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା, ଉତ୍କୋଚ ନେବା ନାହିଁ କି ଦେବା ନାହିଁ, ସମସ୍ତ ଦାୟିତ୍ୱକୁ ସାଧୁତା ଏବଂ ସ୍ୱଚ୍ଛତାର ସହ ସଂପାଦନ କରିବା, ଜନସାଧାରଣଙ୍କ ହିତସାଧନ ପାଇଁ କାର୍ଯ୍ୟ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖି ଉଦାହରଣ ହେବା ତଥା ଦୁର୍ନୀତି ସଂପର୍କରେ କୌଣସି ଖଟଣା ଉପଯୁକ୍ତ କର୍ତୁପକ୍ଷଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ । ସେହିପରି ଦରବାର୍ ହଲ୍ଠାରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ/ ବିଭାଗର ପଦାଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ସଂପର୍କିତ ଶପଥ ଗ୍ରହଣ କରିଥିଲେ । ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ, କେନ୍ଦୁଝର ସଂଜୀବ ବାରିକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲାର ଜିଲ୍ଲା ସଦର ମହକୁମା, ଉପଖଣ୍ଡ ସଦର ମହକୁମା, ବ୍ଲକ୍ ସଦର ମହକୁମା ଏବଂ ତୃଣମୂଳସ୍ତରରେ ଥିବା ସରକାରୀ କାର୍ଯ୍ୟାଳୟର ଅଧିକାରୀ / କର୍ମଚାରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ ।
