ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ଡ୍ୟାନ୍ସ ଅଡିସନ
ବାରିପଦା : ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ଡ୍ୟାନ୍ସ ଅଡିସନ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଅଡିସନରେ ଚାରି ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସବ ଜୁନିଅରରେ ୨୭, ଜୁନିଅରରେ ୧୦୧, ସିନିଅରରେ ୨୬, ଡୁଏଟରେ ୩ ଓ ଗ୍ରୁପ ଡ୍ୟାନ୍ସରେ ୧୭ ଟି ଦଳ ଭାଗ ନେଇଥିଲେ । ପ୍ରତି ବିଭାଗରୁ ବଛାଯାଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ମେଳାର ସାଂସ୍କୃତିକ ସନ୍ଧ୍ୟାରେ ପୁଣିଥରେ ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ବିଭାଗର ସମ୍ପାଦକ ମାନସ ମହାନ୍ତି ଏବଂ ପ୍ରୀତମ ପଣ୍ଡା ଜଣାଇଛନ୍ତି । କରୋନା ପାଇଁ ଦୁଇ ବର୍ଷପରେ ମେଳା ହେଉଥିବାରୁ ପ୍ରତିଯୋଗୀ ଓ ତାଙ୍କର ଅବିଭାବକ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଅଭିନେତା ଶାନ୍ତନୁ ସିଂହ ଓ କୋରିଓଗ୍ରଓଫର ମନୋଜ ମଲ୍ଲିକ ବିଚାରକ ଭାବେ ଯୋଗ ଦେଇ ସଫଳ ପ୍ରତିଯୋଗୀ ମାନଙ୍କୁ ବାଛିଥିଲେ । ଦୁଇ ନମ୍ବର ୱାର୍ଡର କାଉନସିଲର ଅନୁରାଧା ମହାନ୍ତି, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୌମ୍ୟରଂଜନ ସାହୁ, ଆଲୋକ ବାରିକ, ରୋହିତ ବେହେରା, ସୋନୁ ରଣା, ସୁରଜ ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।
