ବିଶ୍ୱକପର ପ୍ରଥମ ମ୍ୟାଚ ହାରିଲା ଭାରତ, ଚିନ୍ତାରେ ପାକିସ୍ତାନ
ପର୍ଥ : ପର୍ଥ ଗ୍ରାଉଣ୍ଡରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ବିଜୟ ହାସଲ କରିଛି ଓ ଏହିପରି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ରଥ ଅଟକି ଯାଇଛି । ଶେଷ ଓଭରରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ଜିତିନେଇଛି ।
ଭାରତ ଦ୍ୱାରା ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଦଳ ପାଳି ଆରମ୍ଭ କରିଥିଲା। କ୍ୱିଣ୍ଟନ ଡିକକ ଓ ଟେମ୍ବା ବଭୂମା ପାଳି ଆରମ୍ଭ କରିଥିଲେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହୋଇଥିବା ଭାରତ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ବିଜୟୀ ହେବାରେ ଅଟକାଇ ପାରିନଥିଲା। ଦଳୀୟ ସ୍କୋର ମାତ୍ର ୩ ରନ ବେଳେ ଦଳ ଦୁଇଟି ଓ୍ୱିକେଟ ହରାଇଥିଲା। କ୍ୱିଣ୍ଟନ ଡିକକ (୧ ରନ) ଓ ରିଲି ରୁସୋ (୦)ଙ୍କୁ ଆଉଟ କରିବାରେ ସମର୍ଥ ହୋଇଥିଲେ ଅର୍ଶଦୀପ ସିଂହ। ସେହିପରି ଟେମ୍ବା ବାଭୂମାଙ୍କୁ ୧୦ ରନରେ ଆଉଟ କରିଥିଲେ ମହମ୍ମଦ ଶାମୀ।
କିନ୍ତୁ ଭାରତ ଦୁଇଟି ରନ ଆଉଟ ଓ ଗୋଟିଏ କ୍ୟାଚ ଆଉଟ ଛାଡ଼ିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଡାଭିଡ଼ ମିଲର (୫୯*) ଓ ଏଡେନ ମାକ୍ରମ (୫୨)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଦଳ ପାଇଁ ସହଜରେ ବିଜୟ ଆଣିଦେଇଥିଲା। ଶେଷ ଓ୍ୱିକେଟ ଭାବେ ତ୍ରିଷ୍ଣା ଷ୍ଟବସଙ୍କୁ ହରାଇଥିଲା ଦଳ। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଦୁଇଟି ଏବଂ ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ୱିନୀ ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଦଳ ପକ୍ଷରୁ କେଏଲ ରାହୁଲ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲା। ମାତ୍ର ଉଭୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ରାହୁଲ ମାତ୍ର ୯ ରନ କରି ପାଭିଲିୟନ ଫେରିଥିବା ବେଳେ ରୋହିତ ୧୫ ରନ କରି ଆଉଟ ହୋଇଥିଲା। ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହୋଇଥିଲା। ଦକ୍ଷିଣ ଆଫ୍ରିକାର ଶାଣିତ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟ୍ସମ୍ୟାନମାନେ। ଏପରି ବିରାଟ କୋହଲି ମାତ୍ର ୧୨ ରନ କରି ପାଭିଲିୟନ ଫେରିଥିଲେ। ତେବେ ସୂର୍ଯ୍ୟକୁମାର ଦଳୀୟ ସ୍କୋରକୁ ଶତକ ପାର କରାଇଥିଲେ। ବ୍ୟକ୍ତିଗତ ଭାବେ ୬୮ ରନ କରି ସେ ପର୍ଣ୍ଣେଲଙ୍କ ଶିକାର ହୋଇଥିଲେ। ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କ ମଧ୍ୟରେ ଆଖି ଦୃଶିଆ ସ୍କୋର କରିପାରିନଥିଲେ।
ମହମ୍ମଦ ଶାମୀ ଓ ଦୀପକ ହୁଡ୍ଡା ଖାତା ଖୋଲି ପାରିନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨, ଦିନେଶ କାର୍ତ୍ତିକ ୬ ରନ, ଅଶ୍ୱିନ ୭ ରନ, ଅର୍ଶଦୀପ ସିଂହ ୨ ଓ ଭୁବନେଶ୍ୱର କୁମାର ୪ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଇଙ୍ଗିଡ଼ି ସର୍ବାଧିକ ୪ଟି, ଓ୍ୱେନ ପର୍ଣ୍ଣେଲ ୩ଟି ଓ ଏନରିଚ ନୋର୍ଟେଜ ଗୋଟିଏ ଓ୍ୱିକେଟ ହାତେଇଥିଲେ।
