ଆଜିଠୁ ଆରମ୍ଭ ହେବ ବହୁପ୍ରତିକ୍ଷୀତ ଜୟପୁର-ଭୁବନେଶ୍ୱର ବିମାନ ସେବା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବହୁପ୍ରତିକ୍ଷୀତ ଜୟପୁର-ଭୁବନେଶ୍ୱର ବିମାନ ସେବା। ସୋମବାର ସକାଳ ସାଢେ ୧୦ଟାରେ ପ୍ରଥମ ବିମାନ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଇଣ୍ଡିଆ ୱାନ ଏୟାର ସଂସ୍ଥାକୁ ବିମାନ ଚଳାଚଳ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ତେବେ ସରକାରଙ୍କ ଜୟପୁର ଅପରେସନ ଆଜି ସଫଳ ହେବାକୁ ଯାଉଥିବା ବେଳେ ଯେଉଁ ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଛି ତାହା ବିଫଳ ହେଉଥିବା ଭଳି ମନେ ହେଉଛି।
ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ହୋଇଛି। ପବିତ୍ର ଛଠ୍ ପୂଜା ଅବସରରେ ଭୁନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି। ସୋମବାର ସକାଳ ସାଢେ ୧୦ଟାରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଉଡିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ଜୟପୁର ବିମାନବନ୍ଦର ମଧ୍ୟ ସଜେଇ ହୋଇଛି। ପ୍ରଥମେ ଉଡାଣ ପାଇଁ ଟିକଟ ମୂଲ୍ୟ ବସ ଭଡା ଠାରୁ ମଧ୍ୟ ଶସ୍ତା ରହିଛି। ଏହାର ଟିକଟ ମାତ୍ର ୯୯୯ ଟଙ୍କା ରଖାଯାଇଛି। ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ ଟ୍ୱିଟ୍ କରି ଗତ ସପ୍ତାହରେ ଏହି ସୂଚନା ଦିଆଯାଇଛି। ଜୟପୁରକୁ ବିମନ ଉଡିଲେ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ସୀମାନ୍ତ ଛତିଶଗଡ ଓ ତେଲେଙ୍ଗାନାବାସୀ ଉକୃତ ହେବେ ବୋଲି କୁହାଯାଉଛି।
ଅନ୍ୟପଟେ ଲୋକେ ଅଭିଯୋଗ କରିଛନ୍ତି ଯେ, ପ୍ରଥମ ଉଡାଣ ପୂର୍ବରୁ ହିଁ ଭୁବନେଶ୍ୱର-ଜୟପୁର ବିମାନ ସେବାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଇଣ୍ଡିଆ ୱାନ ଏୟାର ଅନୁସାରେ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଟିକଟ ବୁକିଂ ହୋଇପାରିବ। କିନ୍ତୁ ପ୍ରଥମ ଦିନରୁ ୱେବସାଇଟରେ ତ୍ରୁଟି ଦେଖିବାକୁ ମିଳିଛି। indiaoneair.com ରେ ଆସନ୍ତା ୧୦ ଦିନ ପାଇଁ ଭୁବନେଶ୍ୱରରୁ ଜୟପୁର କିମ୍ବା ଜୟପୁରରୁ ଭୁବନେଶ୍ୱରକୁ କୌଣସି ବିମାନ ଦେଖାଉନାହିଁ। ଏପରି କି ବିଶାଖାପାଟନମ ପାଇଁ ମଧ୍ୟ ସିଡ୍ୟୁଲ ନାହିଁ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଲୋକଙ୍କୁ ବିମାନ ସେବା ନାଁରେ ଠକି ଦେବାକୁ ସରକାର ବସି ନାହାନ୍ତି ତ ବୋଲି କୋରାପୁଟରେ ଚର୍ଚ୍ଚା ଚାଲିଛି।
ଶୁକ୍ରବାର ଟ୍ୱିଟ କରି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଅକ୍ଟୋବର ୩୧ ତାରିଖରୁ ଜୟପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ଜୟପୁରକୁ ବିମାନ ସେବା ଆରମ୍ଭ ହେଉଛି। ଆଉ ଏହାର ଟିକଟ ଦାମ ମାତ୍ର ୯୯୯ ଟଙ୍କା ରଖାଯାଇଛି। ସୀମିତ ସମୟ ପାଇଁ ଏହି ଅଫର ଅଛି। ଏହା ପରେ ଇଣ୍ଡିଆ ୱାନ ଏୟାର ଆଉ ଏକ ଟ୍ୱିଟ କରିଥିଲା, ଯାହା ଲୋକଙ୍କ ଖୁସିରେ ପାଣି ମିଶାଇ ଦେଇଥିଲା। କାରଣ କମ୍ପାନୀ କହିଥିଲା ଯେ, ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଟିକଟ ବୁକିଂ ସୀମା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କିଛି ଘଣ୍ଟା ମଧ୍ୟରେ ସମସ୍ତ ସିଟ୍ ଫୁଲ୍ ହୋଇଯାଇଛି। ତେବେ ଏହି ଦୁଇଟି ଟ୍ୱିଟ ମଧ୍ୟରେ ମାତ୍ର କିଛି ମିନିଟର ପାର୍ଥକ୍ୟ ଥିଲା, କିନ୍ତୁ କମ୍ପାନୀ ତାହାକୁ କିଛି ଘଣ୍ଚା ବୋଲି କହିଥିଲା। ଆଉ ମଧ୍ୟ ରାତ୍ରିରେ ଏକାଥରେ ୧୮୦ଟି ଟିକଟ ବିକ୍ରି ହୋଇଯାଇଥିଲା ଯାହାକୁ ନେଇ ସାଧାରଣ ଲୋକ ସନ୍ଦେହକୁ ଦୃଢିଭୁତ କରିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର-ଜୟପୁର-ବିଶାଖାପାଟନମ ବିମାନ ଉଡାଣ ପାଇଁ ଗୁଜୁରାଟ ସ୍ଥିତ ଇଣ୍ଡିଆ ୱାନ ଏୟାର କମ୍ପାନୀକୁ ଲାଇସେନ୍ସ ମିଳିଛି। ଭୁବନେଶ୍ୱର-ଜୟପୁର ଓ ଜୟପୁର-ବିଶାଖାପାଟନକୁ ଇଣ୍ଡିଆ ୱାନ ଏୟାର ବିମାନ ପରୀକ୍ଷାମୂଳକ ଭାବେ ଉଡାଣ ମଧ୍ୟ ଭରିଛି। ଏହି ବିମାନରେ ଯାତ୍ରୀଙ୍କ ପାଇଁ ୯ଟି ସିଟ ରହିଛି।
କେତେବେଳେ କେଉଁଠିକୁ ଉଡିବ ବିମାନ?
ଭୁବନେଶ୍ୱରରୁ ଜୟପୁର- ଦିନ ୧୧ଟା ୩୫ରେ ବାହାରି ଗୋଟାଏ ୨୦ରେ ପହଞ୍ଚିବ।
ଜୟପୁରରୁ ବିଶାଖାପାଟନମ- ଅପରାହ୍ନ ଗୋଟାଏ ୪୦ରେ ବାହାରି ୨ଟା ୩୦ରେ ପହଞ୍ଚିବ।
ବିଶାଖାପାଟନମରୁ ଜୟପୁର- ଅପରାହ୍ନ ୩ଟାରେ ବାହାରି ୩ଟା ୫୦ରେ ପହଞ୍ଚିବ।
ଜୟପୁରରୁ ଭୁବନେଶ୍ୱର- ଅପରାହ୍ନ ୪ଟା ୫ରେ ବାହାରି ୫ଟା ୫୦ରେ ପହଞ୍ଚିବ।
ଜୟପୁରରୁ ଭୁବନେଶ୍ୱରକୁ ବିମାନ ଟିକଟ ମୂଲ୍ୟ- ୨୫୦୦ ଟଙ୍କା
