ପୌରପରିଷଦ କାର୍ଯ୍ୟାଳୟରେ ତାଲା, ଲୋକେ ହନ୍ତସନ୍ତ
କେନ୍ଦୁଝର : ୪ ଦିନ ହେବ କେନ୍ଦୁଝର ଜିଲ୍ଲା ର ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ତାଲା । ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ନିର୍ବାଚିତ ପ୍ରତିନିଧି । ଚଳିତ ବର୍ଷ ନିର୍ବାଚନରେ ବିଜେଡ଼ି ସମର୍ôଥତ ଚେୟାରମ୍ୟାନ ଏବଂ ୧୨ ଜଣ ବିଜେଡ଼ି ସମର୍ôଥତ କାଉନସିଲର ଥିବା ବେଳେ ୪ ଜଣ ବିଜେପି କାଉନସିଲର ନିର୍ବାଚିତ ହୋଇଛନ୍ତି । ତେବେ ପୌରାଂଚଳରେ ବିଜୁଳି, ରାସ୍ତା, ପାନୀୟ ଜଳ ଭଳି ମାଳମାଳ ସମସ୍ୟା ରହିଛି । କାର୍ଯ୍ୟାଳୟରେ ଆବଶ୍ୟକ ଠାରୁ ବହୁତ କମ୍ କର୍ମଚାରୀ ଥିବା ନେଇ କାଉନସିଲର ମାନେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ । ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ତେବେ ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ପ୍ରତିଶ୍ରୁତି ପାଳନ ନ ହେବାରୁ ଏବେ ପୁଣି କାଉନସିଲର ମାନେ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେବା ଯାଏ ଧାରଣାରୁ ହଟିବେନି ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଧାରଣା ପାଇଁ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ । ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସାଧାରଣ ଜନତା ।
