ମନ୍ କି ବାତ କାର୍ଯ୍ୟକ୍ରମରେ କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
କେନ୍ଦୁଝର : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସୌର ଶକ୍ତିକୁ ଉପଯୋଗ କରି ଭାରତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରୁଛି । ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚ ଅନେକାଂଶରେ ହ୍ରାସ ପାଇଛି । ସୂଚନା ମୁତାବକ, କେନ୍ଦୁଝର କର୍ଦ୍ଦାପାଳ ଗାଁର କୁନି ଦେହୁରୀ ସୌର ଶକ୍ତିର ଉପଯୋଗ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସୌରଶକ୍ତି ସହାୟତାରେ ରିଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି । ସେ ଏଥିସହ ଆଦିବାସୀମାନଙ୍କୁ ସିଲ୍କ ପ୍ରସ୍ତୁତି ପାଇଁ ତାଲିମ ଦେଇ ରୋଜଗାରକ୍ଷମ କରାଉଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଖରଡ଼ାପାଳ ଗାଁର ବାସିନ୍ଦା ହେଉଛନ୍ତି କୁନି । କର୍କଟ ରୋଗରେ ବାପାଙ୍କ ଦେହାନ୍ତପରେ ନିଜ ଭଉଣୀ ଘର ବାଘମୁଣ୍ଡାକୁ ଚାଲିଆସିଲେ ସେ । ସେତେବେଳେ ନବମ ଶ୍ରେଣୀରେ ପଢ଼ୁଥିବା କୁନ ଦେହୁରୀ ନିଜ ପରିବାର ପ୍ରତିପୋଷଣ ପାଇଁ ଟସରକୁ ନିଜ ଜୀବିକା କରିବାକୁ ମନସ୍ଥକଲେ । ସ୍କୁଲ ପାଠପଢ଼ାରେ ଡୋରି ଲଗାଇ ୨୦୦୪ରେ ଟସର ବିଷୟରେ ବେଙ୍ଗଲୋର ରେ ୬ ମାସର ତାଲିମ୍ ନେଲେ । ଆଉ ଟ୍ରେନିଂରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ଫେରିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ । ଟ୍ରେନିଂରେ ଶିଖିଥିବା ଉନ୍ନତ ଜ୍ଞାନକୌଶଳକୁ ପ୍ରୟୋଗକରି ଗୁଣାତ୍ମକ ଟସର ଉତ୍ପାଦନରେ ଲାଗିପଡ଼ିଲେ । କୋକନ୍, ଟସର ରିଲିଂ,ଚରଖା ଆଦି ସାହାଯ୍ୟରେ ସର୍ବୋତମ ସିଲେଇ ଉତ୍ପାଦନ ସହ ବଜାରର ଚାହିଦା ଅନୁସାରେ ବିଭିନ୍ନ ଡ଼ିଜାଇନର କପଡ଼ା,ଶାଢ଼ୀ ଆଦି ପ୍ରସ୍ତୁତିରେ ଲାଗିପଡ଼ିଲେ । ନିଜେ ଆତ୍ମନିର୍ଭର ହେବା ସହ କୁନି ଆଖପାଖ ଅଂଚଳର ମହିଳାକୁ ଟସର ବିଷୟରେ ଟ୍ରେନିଂଦେଲେ ଓ ସେମାନଙ୍କୁ ରୋଜଗାରର ବାଟ ଦେଖାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପ୍ରତିମାସର ଶେଷ ରବିବାର ମନ କି ବାତ୍ କାର୍ଯ୍ୟକ୍ରମ କରୁଛନ୍ତି । ଆଜି ଥିଲା ଏହାର ୯୪ତମ ସଂସ୍କରଣ ।
