ପର୍ଥରେ ବର୍ଷା ଧୋଇଦେବ କି ଟିମ୍ ଇଣ୍ଡିଆର ଖେଳ? ଜାଣନ୍ତୁ ସେଠାକାର ପାଣିପାଗ
ପର୍ଥ : ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଟି-୨୦ ବିଶ୍ୱକପ୍ର ସୁପର-୧୨ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଅଷ୍ଟ୍ରେଲିଆର ସବୁଠାରୁ ମାରାତ୍ମକ ପିଚ୍ ବୋଲି ବିବେଚନା କରାଯାଉଥିବା ପର୍ଥରେ ଏହି ମ୍ୟାଚ୍ ଖେଳାଯିବ । ପର୍ଥ ଦ୍ରୁତ ବୋଲରଙ୍କୁ ସୁହାଇଥାଏ । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳରେ କାଗିସୋ ରାବାଡା, ଏନ୍ରିକ୍ ନର୍କିଆ ଓ ମାର୍କୋ ୟାନସେନଙ୍କ ଭଳି ବିପଜ୍ଜନକ ବୋଲର ଅଛନ୍ତି । ଖରାପ ପାଗ ଓ ବର୍ଷା ଯୋଗୁଁ ଟି-୨୦ ବିଶ୍ୱକପ ୨୦୨୨ ର ଅନେକ ମ୍ୟାଚକୁ ବାତିଲ କରିବାକୁ ପଡିଛି । ତେବେ ଏପର୍ଯ୍ୟନ୍ତ ପର୍ଥରେ ଦୁଇଟି ମ୍ୟାଚ୍ ହୋଇଛି । ଉଭୟ ମ୍ୟାଚ୍ରେ ବିଜେତା ସ୍ଥିର ହୋଇଛି । ଏଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତିଛନ୍ତି ।
ପର୍ଥ ପାଣିପାଗ ରିପୋର୍ଟ :
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଅଷ୍ଟ୍ରେଲିଆରେ ଖେଳାଯିବ । ସେହି ସମୟରେ ଭାରତରେ ଅପରାହ୍ନ ୪.୩୦ ହେବ । Accuweather.com ଅନୁଯାୟୀ, ସେତେବେଳେ ଅଷ୍ଟ୍ରେଲିଆରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ତେବେ ମ୍ୟାଚ ଆରମ୍ଭ ହେବାର ଦୁଇ ଘଣ୍ଟା ପରେ ବର୍ଷା ହୋଇପାରେ । ଏହା ବ୍ୟତୀତ ପାଗ ବହୁତ ଥଣ୍ଡା ରହିବାକୁ ଯାଉଛି । ଖେଳ ସମୟରେ ତାପମାତ୍ରା ୧୩°C ରହିପାରେ । ଏହା ସହ ଆକାଶ ମେଘୁଆ ହୋଇପାରେ । ଏହା ବ୍ୟତୀତ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିବ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏପରି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ :
କେ.ଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ମହମ୍ମଦ ଶାମି ।
