ବାରିପଦାରେ ପ୍ରତିଷ୍ଠା ହେଲା ମୟୁରଭଞ୍ଜ ଛଉ ନୃତ୍ୟ ତାଲିମ କେନ୍ଦ୍ରମୟୁରଭଞ୍ଜର ସାଂସ୍କୃତିକ ବିକାଶ ନିମନ୍ତେ ଓଡିଶା ସରକାର ପ୍ରତିଶୃତିବଦ୍ଧ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ କଲେ ତାଲିମ କେନ୍ଦ୍ରର ଶୁଭ ଉଦ୍ଘାଟନ
ବାରିପଦା : ବିଶ୍ୱ ପ୍ରସିଦ୍ଧ ମୟୂରଭଂଜ ଛଉନୃତ୍ୟ ପାଇଁ ଜିଲ୍ଲା ରାଜାରାଜୁଡା ଅମଳରୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ, ପୂର୍ବରୁ ଜିଲ୍ଲାର ବାରିପଦା ଠାରେ ରହିଥିବା ଛଉନୃତ୍ୟ ତାଲିମ କେନ୍ଦ୍ର (ପ୍ରଜେକ୍ଟ) ଦୀର୍ଘ ବର୍ଷ ତଳୁ ବନ୍ଦ ହୋଇ ଯାଇଥିବାରୁ ମୟୂରଭଂଜ ବାସୀ ତଥା ଛଉ କଳାକାର ଛଉ ତାଲିମ କେନ୍ଦ୍ର ଖୋଲିବାକୁ ଦାବୀ କରି ଆସୁଥିଲେ । ତେବେ ଆଜି ଜିଲ୍ଲାର ବାରିପଦା ଠାରେ ସଂଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଛଉ ନୃତ୍ୟ ତାଲିମ କେନ୍ଦ୍ରପ୍ରତିଷ୍ଠା ହେବା ପରେ ଜିଲ୍ଲାର ଛଉପ୍ରେମୀ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଆଜି ଓଡିଶାର ପର୍ଯ୍ୟଟନ, ସଂସ୍କୃତି ଓ ଓଡିଆ ଭାଷା ସାହିତ୍ୟ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିବା ସହିତ କଳାସଂସ୍କୃତିର ମାଟି ମୟୂରଭଂଜର ସାଂସ୍କୃତିକ ବିକାଶ ନିମନ୍ତେ ଓଡିଶା ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି । ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଶାସନ ସଚିବ ମଧୂସୁଦନ ପାଢୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାଶ, ସାହିତ୍ୟ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ, ମୋରୋଡା ବିଧାୟକ ରାଜ କିଶୋର ଦାସ, ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲାପରିଷଦ ଅଧକ୍ଷା ଭାରତି ହାଁସଦାଃ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ କେବଳ ଛଉନୃତ୍ୟ ନୁହେଁ ସମଗ୍ର ଓଡିଶାର କଳା ଜଗତକୁ ମୟୂରଭଂଜର ଦାନ ଅତୁଳନୀୟ ବୋଲି କହିଥିଲେ । ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ ଅଧିକାରୀ, ଛଉ ନୃତ୍ୟ ଗୁରୁ, କଳାକାର ଓ ଛଉ ପ୍ରେମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ତେବେ ପ୍ରାଥମିକ ପର୍ଯ୍ୟାୟରେ ନୂତନ ଗୃହ ନିର୍ମାଣ ନହେବା ଯାଏ ଏହି ତାଲିମ କେନ୍ଦ୍ର ବାରିପଦା ସଂସ୍କୃତି ଭବନରେ ଅସ୍ଥାୟୀ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି । ଏଥିରେ ଏକ ବର୍ଷୀୟ ପାଠ୍ୟକ୍ରମ ମାଧ୍ୟମରେ ଛଉ କଳାକାର ମାନେ ତାଲିମ ନେବେ । ତାଲିମ ପାଇଁ ଆଠ ଜଣ ଗୁରୁ ଓ ୨୦ ଜଣ ଶିଷ୍ୟଙ୍କୁ ଚୟନ କରାଯାଇଛି । ଏନେଇ ଛଉ ଶିଳ୍ପୀ ଓ ଛଉ ପ୍ରେମୀଙ୍କ ମହଲରେ ଖୁସି ଲହରି ଖେଳିଯାଇଛି । ତେବେ ସମଗ୍ର ମୟୂରଭଂଜ ଜିଲ୍ଲାରେ ପାଖା ପାଖି ୨୦୦ ରୁ ଆଧିକ ଛଉ ଆଖଡା ବା ଛଉ ନୃତ୍ୟ ଦଳ ରହିଥିବା ବେଳେ, ହଜାର ହଜାର ପୁରୁଷ ଓ ମହିଳା ଛଉ ନୃତ୍ୟ ଶିଳ୍ପୀ, ବାଦ୍ୟକାର ସାମିଲ ରହିଛନ୍ତି । ଏହି ଛଉ ତାଲିମ କେନ୍ଦ୍ର ପ୍ରାଥମିକ ଭାବରେ ଉଦଘାଟିତ ହୋଇଥିବା ବେଳେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ମୟୂରଭଂଜ ଛଉ ନୃତ୍ୟ କଳାର ସଂରକ୍ଷଣ ପ୍ରଚାର ପ୍ରସାର ଏବଂ ଶିଳ୍ପୀ, କଳାକାର, ଗୁରୁ ମାନଙ୍କର ରୋଜଗାରର ପନ୍ଥା ଯୋଗାଇ ଦେବା ସକ୍ଷମ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
