ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଯଶିପୁର ଦେଇ ୩୫ଟି ଓ ପିଠାବଟା ଦେଇ ୨୫ଟି ଯାନକୁ ପ୍ରତିଦିନ ମିଳିବ ଅନୁମତି
ସକାଳ ୬ରୁ ୯ଟା ଭିତରେ ଦୁଇ ପ୍ରବେଶ ଫାଟକରେ ମିଳିବ ଅନୁମତି ପତ୍ର
ବାରିପଦା : ଆସନ୍ତା ନଭେମ୍ବର ୧ରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି । ଦୈନିକ ସର୍ବାଧୂକ ପ୍ରଥମେ ଆସିଥିବା ୩୫ ଗୋଟି ଚାରି ଚକିଆ ଯାନ କାଳିଆଣି ତନଖି ଫାଟକ ଯଶିପୁର ବାଟଦେଇ ଓ ପ୍ରଥମ୨୫ ଗୋଟି ଚାରିଚକିଆ ଯାନ ପିଠାବାଟା ତନଖି ଫାଟକ ଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶପାଇଁ ଅନୁମତି ଦିଆଯିବ ବୋଲି ଜଣାଯାଇଛି । ପର୍ଯ୍ୟଟକ ମାନେ ପିଠାବଟା ଓ ଯଶିପୁର ବୁକିଂ କାଉଂଟରରୁ ସକାଳ ୬ଘଟିକାରୁ ଦିନ ୯ ଘଟିକା ମଧ୍ୟରେ ଅନୁମତିପତ୍ର ସଂଗ୍ରହ କରିପାରିବେ ବୋଲି ଜଣାଯାଇଛି । ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକ ମାନେ ପ୍ରଚଳିତ ନୀୟମାବଳୀ ମାନ ପାଳନ କରିବେ । ନିୟମାବଳୀ ଉଲଘଂନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ଜିନିଷପତ୍ରକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ତନଖି ଫାଟକରେ ଯାଂଚ କରାଯିବା ସହିତ ଅଭୟାରଣ୍ୟ ଭିତରକୁ ପଲିଥିନ, ରନ୍ଧାଖାଦ୍ୟ, ମାଦକ ଦ୍ରବ୍ୟ ଆଦି ନେବାକୁ ବାରଣ କରାଯାଇଛି । ଅପରାହ୍ନ ୩ ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକ ମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ ଘଟିକା ପୂର୍ବରୁ ଚହଲା ସ୍ଥାନ ଛାଡିବେ ଏବଂ ସନ୍ଧ୍ୟା ୫ ଘଟିକା ସୁଦ୍ଧା ପ୍ରସ୍ଥାନ ତନଖି ଫାଟକ ପିଠା ବଟା, ତୁଳସୀବଣି ବା କାଳିଆଣି ଅତିକ୍ରମ କରିବା ନିମନ୍ତେ ନିୟମ କରାଯାଇଛି । ପର୍ଯ୍ୟଟକଙ୍କ ଯାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକ ମାନଙ୍କୁ ବାରିପଦା ବା ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ଅଗ୍ରୀମ ଟଙ୍କା ୪ହଜାର ଟଙ୍କା ଜମା କଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ବ୍ୟବସ୍ଥା କରିବେ । ନିୟମାବଳୀକୁ ଦ୍ୱିତୀୟ ଥର ଉଲଙ୍ଗନ କରିଥିବା ଯାନକୁ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ପ୍ରବେଶ ନିମନ୍ତେ ଭବିଷ୍ୟତରେ ଅନୁମତି ଦିଆଯିବନାହିଁ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଯାମୁଆଣିରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନ ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ ରେ ଅଗ୍ରୀମ ଆରକ୍ଷଣ କରିବାକୁ ନିୟମ କରାଯାଇଛି । ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ କରାଯାଇଥିବା ବେଳେ, କୋଭିଡ -୧୯ ର ନିୟମାବଳିକୁ ଅନୁକରଣ କରିବାକୁ କୁହାଯାଇଛି । ସେହିପରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଅବସ୍ଥିତ ଦେବକୁଣ୍ଡ ମଧ୍ୟ ପର୍ଯଟକମାନଙ୍କ ଭ୍ରମଣ ପାଇଁ ଚଳିତ ୨୦୨୨ ମସିହା ନଭେମ୍ବର ୧ ତାରିଖ ଠାରୁ ଖୋଲାଯିବ । ଦେବକୁଣ୍ଡକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତି ପତ୍ର ଦିବା ୦୭ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ମିଳିବ । ଏହି ଫାଟକ ଠାରୁ ଭାରି ଯାନ ପ୍ରବେଶ ନିଷେଧ ଏବଂ ଦିତୀୟ ଫାଟକରୁ ସମସ୍ତ ଯାନକୁ ନିଷେଧ କରାଯାଇଛି । ଅପରାହ୍ନ ୪ ଘଟିକା ପୂର୍ବରୁ ପର୍ଯ୍ୟଟକ ମାନଙ୍କୁ ଏହି ସ୍ଥାନ ଛାଡିବାକୁ ନିୟମ କରାଯାଇଛି । ତେବେ ବିଗତ ୨ବର୍ଷ କୋଭିଡ କଟକଣା ରେ ବାହାର ପର୍ଯ୍ୟଟକ ବିଶେଷ ଆସିପାରି ନଥିବାରୁ ଚଳିତ ବର୍ଷ ଶିମିଳିପାଳରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିପାଇବ ବୋଲି ଆକଳନ କରାଯାଉଛି ।
