ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ଓ ସିଂଲା ନୃତ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି
ସିଂଲା : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସିଂଲା ନୃତ୍ୟ ମହୋତ୍ସବ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୨ ବେଶ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୋତ୍ସବ କମିଟିର ସଭାପତି ଜୟନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୨୦୨୩ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଉଦ୍ଯାପନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ୟକ୍ରମର ଅୟମାରମ୍ଭରେ ପୁରୀ ଶ୍ରୀକ୍ଷେତ୍ରରୁ ଆଜ୍ଞା ମାଳ ଆସିବା ସହିତ ଶୁଭ କଳସ ଯାତ୍ରା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବତ୍ରିଶ ବେଶ ପ୍ରଦର୍ଶନ, ୫୬ ଭୋଗ, ବାଇଶି ପାହାଚ, ସିଂହ ଦ୍ୱାର, ଗରୁଡ଼ ସ୍ତମ୍ଭ, ପାର୍ଶ୍ୱ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତି, ଯଜ୍ଞାଦି କାର୍ଯ୍ୟକ୍ରମ, ନାମ ସଙ୍କୀର୍ତ୍ତନ, ଅନ୍ନ ମହୋତ୍ସବ, ଗ୍ରାମୀଣ ମେଳା, ମନୋରମ ସାଜସଜ୍ଜା, ସୁସଜ୍ଜିତ ଆଲୋକ ମାଳା, ପ୍ରବଚନ, ଭଜନ ସନ୍ଧ୍ୟା ଓ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ସିଂଲା ନୃତ୍ୟ ମହୋତ୍ସବ ଆଦି ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ବୈଠକରେ କମିଟିର ସମ୍ପାଦକ କମଳାକାନ୍ତ ଅଣ୍ଡିଆ, ଉପଦେଷ୍ଟା ବରେନ୍ଦ୍ର ଦାଶ, ପ୍ରିୟବ୍ରତ ପଣ୍ଡା, ପ୍ରଧାନ ସେବକ ରବି ନାରାୟଣ ଗିରି, ମହା ସଚିବ ମନୋରଞ୍ଜନ ଗିରି, ଉପସଭାପତି ପ୍ରାଣକୃଷ୍ଣ ପ୍ରଧାନ ଏବଂ ସହ ସମ୍ପାଦକ ନିରଂଜନ ବେହେରା, ସଂଗଠନ ସମ୍ପାଦକ ହେମନ୍ତ କୁମାର ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରବର୍ତ୍ତୀ ବୈଠକରେ ସବିଶେଷ ଆଲୋଚନା ହୋଇ ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ ହେବାର ଧାର୍ଯ୍ୟ ହୋଇଥିଲା ।
