ଡିସେମ୍ବର ୧ରୁ କୋଣାର୍କରେ ଇକୋ ରିଟ୍ରିଟ୍
ପୁରୀ : କୋଣାର୍କ ଠାରେ ଇକୋ ରିଟ୍ରିଟ୍ ର ଚତୁର୍ଥ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି । ଏ ସମ୍ପର୍କରେ ଏକ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍ କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଯେଉଁ ବିଭାଗ ର ଯାହା ଦାୟିତ୍ୱ ତାହାକୁ ନିଷ୍ଠାପର ଓ ସମୟ ପୂର୍ବରୁ ସାରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ଙ୍କ ସହ ସମନ୍ୱୟ ରଖି କାମ କରି ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିବାକୁ ଜିଲାପାଳ କହିଥିଲେ ।
ପର୍ଯ୍ୟଟନ ବିଭାଗ ଜିଲା ପ୍ରଶାସନ ଓ ଇ ଫାକ୍ଟର ଏଜେନ୍ସି ର ମିଳିତ ସହଯୋଗରେ ଇକୋ ରିଟ୍ରିଟ୍ ଡିସେମ୍ବର୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି । ୭୦ ଗୋଟି ଲକଜରି ଟେଣ୍ଟ କରାଯିବ ଯେଉଁ ଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ ।ଇକୋ ରିଟ୍ରିଟ୍ ସମୟରେ ଜଳକ୍ରିଡା, ବିଚ ସ୍ପୋର୍ଟସ, ଇଣ୍ଡୋର ଗେମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । ନିରବଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟୱାର୍କ ସହ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା,୨୪ ଘଣ୍ଟିଆ ଲାଇଫ ଗାର୍ଡ ବ୍ୟବସ୍ଥା କରାଯିବ । ପର୍ଯ୍ୟଟକ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ ବୋଲି ସ୍ଥିର ହୋଇଛି । ସମସ୍ତ କାର୍ଯ୍ୟ କୁ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଆସୁଥିବା ପର୍ଯ୍ୟଟକ ମାନେ ଯେପରି ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିଜ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ଅନ୍ୟାନ୍ୟ ବିଭାଗ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ୍ ର ଆୟୋଜନ କରୁଥିବା ଇ ଫାକ୍ଟରର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।
