ଛଟ୍ ପୂଜା-୨୦୨୨ ! ବ୍ରତଧାରୀମାନେ ଜାଣି ରଖନ୍ତୁ ଏହି ସବୁ ନୀତି ନିୟମ, ଜାଣନ୍ତୁ କଣ କରିବା ଉଚିତ୍ ଓ କଣ ଅନୁଚିତ୍
ଛଟ୍ ପୂଜାରେ ସାଧାରଣତଃ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ସମଗ୍ର ଦେଶରେ ବେଶ ଉତ୍ସାହର ସହକାରେ ଏହି ପର୍ବ ପାଳନ କରାଯାଇଥାଏ । କିନ୍ତୁ ଏହା ମୁଖ୍ୟତ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ, ଗୁଜୁରାଟ, ଚଣ୍ଡିଗଡ଼, ଛତିଶଗଡ, ମୁମ୍ବାଇ ଏବଂ ଗୋଆରେ ପାଳନ କରାଯାଇଥାଏ। ଛଟ୍ ପୂଜାରେ ସୂର୍ଯ୍ୟ ଦେବତା ଓ ତାଙ୍କ ଭଉଣୀ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଛଟ୍ ପୂଜା ଚାରି ଦିନ ବ୍ୟାପୀ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ପ୍ରଥମ ଦିନକୁ ନହା ଖାଇ, ଦ୍ୱିତୀୟ ଦିନକୁ ଖରନା ବୋଲି କୁହାଯାଏ। ସେହିପରି ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରାଯାଏ। ଚତୁର୍ଥ ଦିନ ବଡ଼ି ଭୋରରୁ ନଦୀକୁ ଯାଇ ସୂର୍ଯ୍ୟ ଉଦୟ ହେଉଥିବା ବେଳେ ପାଣି ମଧ୍ୟରେ ରହି ଅର୍ଘ୍ୟ ଅର୍ପଣ କରାଯାଇ ବ୍ରତ ଭଙ୍ଗାଯାଇଥାଏ।
ତେବେ, ଆସନ୍ତୁ ଜାଣିବା ଛଟ ପୂଜା ସମୟରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ବ୍ରତଧାରୀମାନେ ଜାଣି ରଖିବା ଉଚିତ
ଛଟ୍ ପୂଜାରେ କଣ କରିବା ଉଚିତ୍ ?
ଛଟପୂଜାରେ କୌଣସି କାର୍ଯ୍ୟରେ ଅଂଶ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ସ୍ନାନ କରି ନିଅନ୍ତୁ । ସ୍ନାନ ପରେ ଶୁଦ୍ଧ ହୋଇ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିବା ଉଚିତ୍ । ଏବଂ ତୁମର ପରିବାରର ବୟୋଜ୍ୟଷ୍ଠ ଲୋକଙ୍କ ଆର୍ଶିବାଦ ଗ୍ରହଣ କରିବା ଉଚିତ୍ । ଏହା କରିବା ଦ୍ବାରା ପୂଜା ସମ୍ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେହିପରି ପୂଜା ପାଇଁ ଭୋଗ କିମ୍ବା ପ୍ରସାଦ ତିଆରି କରିବା ପୂର୍ବରୁ ହାତ ଏବଂ ପାଦକୁ ଭଲ ଭାବରେ ସଫା କରନ୍ତୁ । ଏହି ଦିନ ବ୍ରତଧାରୀମାନେ ଭଗବାନ ସୂର୍ଯ୍ୟଙ୍କୁ କ୍ଷୀର ଏବଂ ପାଣି ଅର୍ପଣ କରନ୍ତୁ ।ପ୍ରସାଦରେ ଭର୍ତ୍ତି ହୋଇଥିବା ଏକ ସୁପ୍ ସହିତ ଛଟିମାତାଙ୍କୁ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ । ପୂଜା ଦିନ ରାତ୍ର ସମୟରେ ବ୍ରତଧାରୀମାନେ ପୂଜାର ପୁରାଣ ଶୁଣିବାକୁ ଯେମିତି ନ ଭୁଲନ୍ତି । ଉପବାସ ଶେଷରେ,ଆପଣ ସରବତ ପିଇପାରିବେ ଏବଂ ଛଟିମାତାଙ୍କୁ ଦିଆଯାଇଥିବା ଭୋଗ ଖାଇ ପାରିବେ ।
ଛଟ୍ ପୂଜାରେ କଣ କରିବା ଅନୁଚିତ୍ ?
ଯଦି ଛଟପୂଜାକୁ ଆପଣ ନିଷ୍ଠାର ସହ କରିବାକୁ ଚାହୁଁଛନ୍ତି । ତେବେ, ପୂଜାର ସମସ୍ତ ନିୟମ ମାନିବାକୁ ପଡିବ । ପୂଜା ପୂର୍ବରୁ ପ୍ରଭୁ ସୂର୍ଯ୍ୟ ଏବଂ ଛଟି ମାତାଙ୍କୁ ଭୋଗ ଲଗାଇବା ପୂର୍ବରୁ ପ୍ରସାଦ ଖାଆନ୍ତୁ ନାହିଁ । ହାତ ନ ଧୋଇ କିମ୍ବା ବିନା ସ୍ନାନରେ ପୂଜା ପାଇଁ ପ୍ରସ୍ତୁତି ସାମଗ୍ରୀ କିମ୍ବା ଭୋଗକୁ ସ୍ପର୍ଶ କରନ୍ତୁ ନାହିଁ । ଏହି ପର୍ବ ଚାରି ଦିନ ବ୍ୟାପି ଚାଲିଥାଏ । କିନ୍ତୁ ଏହି ଚାରିଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ । ଛଟପୂଜା ରୀତିନୀତି ଏବଂ ସମାରୋହରେ ମଦ୍ୟପାନ କି ଧୂମପାନ କରନ୍ତୁ ନାହିଁ । ଭଗବାନଙ୍କ ପାଇଁ ନୌବେଦ୍ୟ ପ୍ରସ୍ତୁତ କରିବା ସମୟରେ ସାଧାରଣ ଲୁଣ ବ୍ୟବହାର କରନ୍ତୁ ନାହିଁ । ପୂଜା ପାଇଁ କଦାପି ପୁରୁଣା ଟୋକେଇ ବ୍ୟବହାର କରନ୍ତୁ ନାହିଁ । ପର୍ବ ସମୟରେ କାହାକୁ କଟୁ କଥା କୁହନ୍ତୁ ନାହିଁ । ଛଟ ପୂଜା ସମୟରେ ରସୁଣ ଏବଂ ପିଆଜ ଖାଇବା ଠାରୁ ନିଜକୁ ଦୂରେଇ ରୁହନ୍ତୁ ।
