ନଭେମ୍ବର ୮ର ଚନ୍ଦ୍ର ଗ୍ରହଣ ! ୪ ରାଶି ପାଇଁ ଲାଭ ଓ ୪ ରାଶି ପାଇଁ କ୍ଷତିର ଯୋଗ
ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଓ ଦ୍ୱିତୀୟ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଲୋକଙ୍କ ମନରେ ଚିନ୍ତା ବଢ଼ାଉଛି । କାରଣ ଏହି ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଅକ୍ଟୋବର ୨୫, ୨୦୨୨ରେ ହୋଇଥିବା ସୂର୍ଯ୍ୟ ପରାଗର ୧୫ ଦିନ ମଧ୍ୟରେ ଘଟିବାକୁ ଯାଉଛି ।
ଜ୍ୟୋତିଷଙ୍କ ଅନୁଯାୟୀ, ଗୋଟିଏ ପକ୍ଷ କିମ୍ବା ୧୫ ଦିନ ମଧ୍ୟରେ ଦୁଇଟି ଗ୍ରହଣ ହେବା କିଛି ବଡ଼ ଅଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମନରେ ଏକ ଆଶଙ୍କା ରହିଛି ଯେ ବର୍ତ୍ତମାନ ଦେଶ ତଥା ସମାଜରେ କିଛି ବଡ଼ ସମସ୍ୟା ଆସିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ପରି ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ମଧ୍ୟ ଦେଖିବାକୁ ମିଳିଥାଏ, ତାହା ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ ।
ଗ୍ରହଣର ଏକ ମାସ ପର୍ଯ୍ୟନ୍ତ ଅବଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଗାମୀ ସମୟରେ ଚନ୍ଦ୍ର ଗ୍ରହଣର ପ୍ରଭାବ ଯୋଗୁଁ କେଉଁ ରାଶିର ଲୋକମାନଙ୍କୁ ଲାଭ ହେବ ଓ କେଉଁ ରାଶି ଲୋକମାନଙ୍କୁ କ୍ଷତିର ଯୋଗ ରହିଛି । ଜ୍ୟୋତିଷଙ୍କ ଅନୁଯାୟୀ, ନଭେମ୍ବର ୮ରେ ହେବାକୁ ଥିବା ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯୋଗୁଁ ୪ଟି ରାଶି ମିଥୁନ, କର୍କଟ, ବିଛା ଏବଂ କୁମ୍ଭ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଅନ୍ୟପଟେ ୪ଟି ରାଶି ମେଷ, ବୃଷ, କନ୍ୟା ଏବଂ ମକର ରାଶି ପାଇଁ କ୍ଷତିର ଯୋଗ ନେଇ ଆସୁଛି । ଏହା ବ୍ୟତୀତ ଅବଶିଷ୍ଟ ୪ଟି ରାଶିର ଲୋକଙ୍କୁ ଚନ୍ଦ୍ର ଗ୍ରହଣ ଯୋଗୁଁ ମଧ୍ୟମ ଫଳ ମିଳିବ ।
ଚନ୍ଦ୍ର ଗ୍ରହଣର ସମୟ ଅବଧି :
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୮ ନଭେମ୍ବର ୨୦୨୨ରେ ହେବାକୁ ଯାଉଛି । ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୫:୩୫ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୬:୧୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୭:୨୬ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସକାଳ ୫.୫୩ ମିନିଟରେ ଆରମ୍ଭ ହେବ ଓ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଚାଲିବ ।
ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।
