ରାଇଦାମୋଦର ପୂଜାରେ କମ୍ପୁଛି ଶ୍ରୀକ୍ଷେତ୍ର
ପୁରୀ : ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତିକ । କାର୍ତିକ ମାସରେ ରାଧାଦାମୋଦର ପୂଜା କଲେ ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଦ୍ୱାପର ଯୁଗରେ ଗୋପୀମାନେ ଏହି ପୂଜା କରୁଥିଲେ । ଶ୍ରୀମନ୍ଦିରରେ ଏକମାସ ଧରି ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହେଉଛି । କାର୍ତିକରେ ଶେଷ ପାଞ୍ଛଦିନ ପଞ୍ଚୁକର ମହାପ୍ରଭୁଙ୍କର ପାଞ୍ଛଦିନ ଯାକ ବିଭିନ୍ନ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ଦର୍ଶନ, କାର୍ତିକ ପୁରାଣ ଶ୍ରବଣ, ପଞ୍ଛତୀର୍ଥରେ ସ୍ନାନ, ଚଉରା ମୂଳରେ ରାଧାଦାମୋଦର ପୂଜା ,ହବିଷ୍ୟାଅନ୍ନ ପାଳନ ଓ ସଧ୍ୟାରେ ଆକାଶଦୀପ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ପ୍ରାୟ ନଅ ହଜାର ହବିଷ୍ୟାଳୀଙ୍କ ଆଗମନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ହଜାର ହବିଷ୍ୟାଳି ରହିବା ପାଇଁ ବୃନ୍ଦାବତୀ ନିବାସ,ଅକ୍ଷୟପାତ୍ର ଫାଉଣ୍ଡେସନ ବିଲିଡ଼ିଂ,ମୋଚିସାହି କଲ୍ୟାଣ ମଣ୍ଡପ ଓ ବାଗେଡ଼ିଆ ଧର୍ମଶାଳାରେ ରହଣି ବ୍ୟବସ୍ଥା ହୋଇଛି । କାର୍ତିକ ମାସଯାକ ଶ୍ରୀକ୍ଷେତ୍ରରେ ଭୋର ୪ଟାରୁ ଧାର୍ମିକ ମାହୋଲ ଦେଖାଦେଇଛି । ମହୋଦଧି କୂଳ,ମାର୍କଣ୍ଡେୟ ପୁଷ୍କରଣୀ,ଶେତ୍ୱଗଙ୍ଗା ପୁଷ୍କରଣୀ,ନରେନ୍ଦ୍ର ପୁଷ୍କରଣୀ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀରେ ରାଇଦାମୋଦର ପୂଜା କରୁଥିବାର ଦେଖିବାକୁ ମିଳିଛି । ଏହାସହ ଶ୍ରୀକ୍ଷେତ୍ର ସାହିବାସିନ୍ଦା ହବିଷ୍ୟାଳିମାନେ ଦାଣ୍ଡ ଦୁଆର ଓ ଛାତ ଉପରେ ଥିବା ବୃନ୍ଦାବତୀ ଚଉରା ମୂଳରେ ରାଧାଦାମୋଦର ପୂଜା କରୁଛନ୍ତି । ଘରୋଇ ହବିଷ୍ୟଳିମାନେ ହବିଷ୍ୟ ପାଇଁ ଓଉ,ମୁଗ ଡ଼ାଲି,ଅଦା, ସାରୁ, କଞ୍ଛା କଦଳୀ, ପାଳୁଅ, କନ୍ଦମୂଳ ଆଦି ପରିବା କଣି ହବିଷ୍ୟ ଅନ୍ନ ରନ୍ଧନ କରି ବିନା ଫୁଟଣ ଓ ହଳଦୀରେ ମୁଗଡ଼ାଲମା ପ୍ରସ୍ତୁତ କରି ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଥର ଅନ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଛି । ଅନେକ ହବିଷ୍ୟାଳି ମହାପ୍ରସାଦ ସେବନ କରୁଛନ୍ତି । ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ହବିଷ୍ୟାଳିମାନଙ୍କ ଭିଡ଼ ଲାଗି ରହୁଛି । ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳିମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରକୁ ଯିବା ପାଇଁ ଗାଡ଼ି ଓ ଗାଇଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ହବିଷ୍ୟାଳି କେନ୍ଦ୍ରମାନଙ୍କରେ କାର୍ତିକ ମାହାତ୍ମ୍ୟ ପୁରାଣ ବ୍ରାହ୍ମଣ ପାଠ କରି ହବିଷ୍ୟାଳିମାନଙ୍କୁ ବୁଝାଉଛନ୍ତି । ଏହା ସହ ଭଜନ ,କୀର୍ତନ, ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ମଠ, ମନ୍ଦିର ଓ ଧର୍ମଶାଳାରେ କାର୍ତିକ ମାହାତ୍ମ୍ୟ ସହ ଗୀତା ଭାଗବତ ପଠନ କରାଯାଉଛି । ଏବେ ଶ୍ରୀକ୍ଷେତ୍ରରେ ଧାର୍ମିକ ବାତାବରଣ ମଧ୍ୟରେ ସୃଷ୍ଟି ହୋଇଛି ।
