ସାର ଦର ବଢୁଛି,ପାଣିର ବିକଳ୍ପ ବ୍ୟବସ୍ଥା ନାହିଁ ପଡିଆ ପଡିଛି ୪୦ ପ୍ରତିଶତ ଚାଷଜମି
ଖଇର : କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି କରୁଥିବା ନେଇ ଡିଡିମ୍ବ ପିଟୁଛନ୍ତି । ହେଲେ ସେପଟେ ସାର ଓ କିଟନାଶକ ଦର ବର୍ଷକୁ ବର୍ଷ ହୁହୁ ହୋଇ ବଢୁଛି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ଠିକ ସମୟରେ ରୁଆ ପୋତା କାର୍ଯ୍ୟ କରି ପାରୁଛି । ୫୦ରୁ ଅଧୀକ ଉଠାଜଳସେଚନ ଓ ବରୋୱେଲ ଅକାମୀ ହୋଇ ପଡିଛି । ବିଳମ୍ବରେ ଚାଷ ଆରମ୍ଭ ପାଇଁ ଅମଳ ମଧ୍ୟ ଯଥେଷ୍ଟ କମିଯାଉଛି । ବଜାର ଦର ଯାହା ଚାଷ ଖର୍ଚ୍ଚ ମଧ୍ୟ ଭରଣା ହେଉନି । ଏଭଳି ପ୍ରତିକୁଳ ପରିସ୍ଥିତି ପାଇଁ ଖଇରା ବ୍ଲକର ୩୦ ପଞ୍ଚାୟତରେ ଚଳିତ ବର୍ଷ ୪୦ଭାଗ ଜମି ପଡିଆ ପଡିଥିବାର କୁହାଯାଉଛି । ସରକାର ବେଳହୁଁ ସାବଧାନ ନହେଲେ ଆଗକୁ ଅଧୀକ ଜମି ପଡିଆ ପଡିବା ସହ ଦାଦନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢିବ ଏଥିରେ ସମ୍ଭାବନା ନାହିଁ । ପ୍ରକାଶ ଯେ ଖରିଫ ଋତୁରେ ଧାନ ଚାଷ ହେଉଥିବା ମୋଟ ୧୯ହଜାର ୪୦୦ ହେକ୍ଟର ଚାଷ ଜମି ଢ଼ଧ୍ୟରୁ ଅନ୍ୟୁନ ୧୨ହଜାର ହେକ୍ଟର ଚାଷ ଜମି ରେ ଚାଷୀ ମୌସୁମୀ ଓ ଲଘୁଚାପ ଉପରେ ନିର୍ଭର କରିଥାନ୍ତି । ବ୍ଲକର ସାରଡାଙ୍ଗ,ନନ୍ଦୁରୁ, ମହତୀପୁର, ଗୋବିନ୍ଦପୁର,କୁରୁଣ୍ଟା, ଖଇରା,ନୟାଖଣ୍ଡି,ଶ୍ୟାମସୁନ୍ଦରପୁର, ଅଚ୍ୟୁତପୁର, ମାଖନପୁର, ଗଗନଧୂଳି, ଡଗରପଡା, ଡାଲଙ୍ଗ, ସାରୁଗାଁ, ସୁଣ୍ଢିରା,ଗଡପୋଖରୀ,କୁପାରୀ, କଇଥଗଡିଆ,ପଳସା,ଗୋଳିହା,ସାରକୋଣା ଇତ୍ୟାଦି ପଞ୍ଚାୟତ ଗୁଡିକରେ ଜଳସେଚନ ବ୍ୟବସ୍ଥା ନଥିବା କାରଣରୁ ବର୍ଷା ଏବଂ କାଁଭାଁ ଉଠାଜଳସେଚନ ଉପରେ ନିର୍ଭର କରିଥାନାନ୍ତି । ହେଲେ ଗତ ବର୍ଷ ମୌସୁମୀ ଓ ଲଘୁଚାପ ବର୍ଷା ଧୋକା ଦେଲା । ବହୁ ବିଳମ୍ବରେ ବର୍ଷା ଯୋଗୁଁ ବହୁ ଚାଷୀ ବିଲକୁ ଯାଇନଥିଲେ । ଯେଉଁ ମାନେ ଚାଷକଲେ ଏକରରେ ୧୦ରୁ ୧୨କୁଇଣ୍ଟାଲ ଧାନ ମିଳିଲା । ଯେଉଁ କାରଣରୁ ଚଳିତ ବର୍ଷ ବ୍ଲକରେ ପାଖାପାଖି ୪ହଜାର ୮ଶହ ହେକ୍ଟର ଜମି ପଡିଆ ପଡିଛି । ବାହାର ଦଲାଲ ମାନଙ୍କ ଠାରୁ ଯାହା ମିଳିଲା ତାହା ଅଧାଖର୍ଚ୍ଚବି ଭରଣା ହେଲାନି ବୋଲି ଚାଷୀ ପ୍ରଶାନ୍ତ କୁମାର ରାଉତ କହିଛନ୍ତି । ହେଲେ ଚଳିତ ବର୍ଷ ମଧ୍ୟ ଆଉରି ଅବସ୍ଥା ସାଂଘାତିକ । ସାର ଦର ୨ଗୁଣା ହେବା ତାହା ପୁଣି ବଜାରରେ ଉପଲବ୍ଧ ନହେବା,ଉଠା ଜଳସେଚନ ଅକାମୀ ହୋଇ ରହିବା,ଘରୋଇ ଏଜେନ୍ସି ଏବଂ ସମବାୟ ସମିତି ମାଧ୍ୟମରେ ଦିଆଯାଉଥିବା ବିହନ ଠିକଭାବେ ଗଜା ନ ହେବା,ଷଣ୍ଢଙ୍କ ପ୍ରାଦୁର୍ଭାବ,ଆମ୍ବହତା କେନାଲ ଅସପୂର୍ଣ୍ଣ ଯୋଗୁଁ ପାଣି ନଆସିବା ଭଳି କାରଣ ଯୋଗୁଁ ବହୁ ଚାଷୀ ଚାଷରୁ ମୁହଁ ଫେରାଇ ନେଇଥିବା ଗନ୍ଧାଳି ଗ୍ରାମର ସଞ୍ଜୟ ବେହେରା କହିଛନ୍ତି ।ଠିକ ସମୟରେ ବର୍ଷା ନହେବା ତଥା ତଳି ଗଜା ନହେବା ଯୋଗୁଁ ଏଥର ଚାଷ ଜମି ପଡିଆ ପଡିଥିବା ନେଇ ଦିଘି ତେନ୍ତୁଳି ଗ୍ରାମର ନିର୍ମଳ ପାଢୀ ଓ ପୁରସ୍ତମ ଦାସ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୁଷି ଅଧିକାରୀ ସରୋଜ କୁମାର ଜେନାଙ୍କ ମତାମତ ନେବାରେ ସେ ସବୁ ପଞ୍ଚାୟତରୁ ରିପୋର୍ଟ ଆଣିବା ପରେ କେତେ ପଡିଆ ପଡିଛି ତାର ଆକଳନ କରାଯାଇ ପାରିବ ବୋଲି କହିଛନ୍ତି ।
