ଆତିଥ୍ୟତା ଭାରତଠୁ ଶିଖ ! ଟିମ୍ ଇଣ୍ଡିଆ ସହ ଭେଦଭାବ ପରେ ଭଡକିଲେ ସେହଓ୍ୱାଗ୍
ସିଡ୍ନି : ଟି-୨୦ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରତି ଭେଦଭାବ ଖବର ସାମ୍ନାକୁ ଆସିଛି। ୨୭ ଅକ୍ଟୋବର ନେଦରଲ୍ୟାଣ୍ଡ ଓ ଭାରତ ଭିତରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା ପୂର୍ବରୁ ବିବାଦ ଦେଖାଦେଇଛି। ଭାରତୀୟ ଖେଳାଳିମାନଙ୍କୁ ଦିଆଯାଉଥିବା ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ଖେଳାଳି। ଆଇସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରାକ୍ଟିସ୍ ସେସନ ସମୟରେ ଟମ୍ ଇଣ୍ଡିଆକୁ ଥଣ୍ଡା ଓ ବେକାର ଖାଇବା ଦିଆଯାଇଥିବା ଖେଳାଳିମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ କେବଳ ସାଣ୍ଡୁଇଚ୍ ଦିଆଯାଇଛି ବୋଲି ଟିମ୍ ଆଇସିସିକୁ କହିଥିବା ସୂଚନା ମିଳିଛି। ଏମିତି ବି ଶୁଣିବାକୁ ମିଳୁଛି ଯେ ୨୭ ତାରିଖ ମ୍ୟାଚ୍ ପାଇଁ ଭାରତ ଅଭ୍ୟାସ କରିପାରି ନାହିଁ। କାରଣ ତାଙ୍କ ପ୍ରାକ୍ଟିସ୍ ପାଇଁ ଦିଆଯାଇଥିବା ସ୍ଥାନ ତାଙ୍କ ହୋଟେଲ୍ ରୁମ୍ ଠାରୁ ୪୨ କିମି ଥିଲା ବୋଲି ସୂଚନା ମିଳିଛି। ଏପରିକି ବିସିସିଆଇ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲା ।
ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ତମ୍ୱିତୋଫାନ । ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ପ୍ରତିକ୍ରିୟା ରଖିଛନ୍ତି । ଟ୍ୱିଟ କରି ସେ କହିଛନ୍ତି ସେ ଦିନ ଗଲାଣି ଯେତେବେଳେ ପଶ୍ଚିମ ଦେଶଗୁଡିକୁ ସବୁ ସୁବିଧା ସୁଯୋଗ ମିଳୁଥିଲା । ଏବେ ଏସବୁଥିରେ ବହୁ ଆଗରେ ଭାରତ । ଯଦି ଆତିଥ୍ୟତା ଶିଖିବାର ଅଛି ତେବେ ଭାରତଠୁ କିଛି ଶିଖ ।
ସୂଚନା ଯେ ବୁଧବାର ଏହି ଘଟଣା ଜଣାପଡିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ମଙ୍ଗଳବାର ଖେଳାଳି ମାନେ ଅଭ୍ୟାସ କରୁଥିବାବେଳେ ସେମାନଙ୍କୁ ଥଣ୍ଡା ଖାଦ୍ୟ ପରଷାଯାଇଥିଲା । ଖାଦ୍ୟ ବି ସେମିତି ଆଖି ଦୃଶିଆ ନଥିଲା । ଦୁଇ ଘଣ୍ଟାର ଲମ୍ୱା ପ୍ରାକ୍ଟିସ ପରେ ଏମିତି ଖାଦ୍ୟ ଦେଖି ଖେଳାଳିମାନେ ଜାହିର କରିଥିଲେ ସେମାନଙ୍କର ଅସନ୍ତୋଷ । କେବଳ ଖାଦ୍ୟ ବ୍ୟବସ୍ଥା ଖରାପ ନଥିଲେ ବରଂ ପ୍ରାକ୍ଟିସ କରିବାକୁ ଦିଆଯାଇଥିବା ଗ୍ରାଉଣ୍ଡ ବି ବହୁ ଦୂରରେ ଥିଲା ।
