ବାଲେଶ୍ୱରରେ ଭକ୍ତି-ଶ୍ରଦ୍ଧାର ସହ ଦୀପାବଳି ଓ କାଳୀପୂଜା ସମ୍ପନ୍ନ
ବାଲେଶ୍ୱର : ସହର ସମେତ ବାଲେଶ୍ୱର ଜିଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଆଲୋକର ପର୍ବ ଦୀପାବଳି ଏବଂ ମାଆ କାଳୀଙ୍କ ପୂଜା ସମ୍ପନ୍ନ ହୋଇଯାଇଛି । ମହାମାରୀ କରୋନା ଜନିତ କଟକଣା ପାଇଁ ଗତ ଦୁଇବର୍ଷ ଧରି ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସିଥିବା ଏହି ଗଣପର୍ବ ଚଳିତ ବର୍ଷ ବେଶ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଲୋକେ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶେଷ କରି ସହରର ବିବେକାନନ୍ଦ ମାର୍ଗ ସ୍ଥିତ ଲଲିତେଶ୍ୱରୀ କାଳି ମନ୍ଦିରରେ ଭକ୍ତମାନଙ୍କ ବେଶ ଭିଡ ପରିଲକ୍ଷିତ ହୋଇଥିଲା । ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଦୀପ ଦାନ କରିଥିଲେ । ବିଗତ ୭୫ ବର୍ଷ ଧରି ପ୍ରତ୍ୟେକ ବର୍ଷ ବେଶ ନିଷ୍ଠା ଓ ଶ୍ରଦ୍ଧାର ସହ ଲଳିତେଶ୍ୱରୀ କାଳୀ ମନ୍ଦିରରେ ଉତ୍ସବ ପାଳିତ ହୋଇଆସୁଛି ବୋଲି ମନ୍ଦିରର ତତ୍ୱାବଧାରକ କହିଥିଲେ । ଅନୁରୂପ ଭାବେ ସହରର ଫାଣ୍ଡିଛକ, କଚେରୀ ବଜାର, ନୂଆବଜାର, ପୁଲିସ ଲାଇନଛକ, ଭାସ୍କରଗଞ୍ଜ, ବଙ୍କାଖଜିର, ଫକୀର ମୋହନ ନଗର, ମୋତିଗଞ୍ଜ ପ୍ରଭୃତି ଅଂଚଳରେ ୩୦ରୁ ଉର୍ଦ୍ଧ୍ୱ ମଣ୍ଡପରେ ମାଆ କାଳୀଙ୍କୁ ପୂଜା କରାଯାଇଛି । ରାତ୍ରୀର ପ୍ରଥମ ପ୍ରହରରେ ବିଭିନ୍ନ ମଣ୍ଡପ ପକ୍ଷରୁ ଘଣ୍ଟ, ଘଣ୍ଟା, ଶଙ୍ଖ ହୁଳହୁଳି, ଭଜନ କୀର୍ତ୍ତନ ଘଟ ଉତ୍ତୋଳନ ପୂର୍ବକ ମାଆଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ କରାଯାଇଥିଲା । ବୈଦିକ ରୀତିନୀତି ଅନୁସାରେ ଚାରି ପ୍ରହରର ପୂଜା ଶେଷରେ ମାଆଙ୍କୁ ବିସର୍ଜନ ଦିଆଯାଇଛି । ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ରପାଠ ଓ ହୋମଯଜ୍ଞ ପୂର୍ଣ୍ଣାହୁତି ସହିତ ମାଆଙ୍କ ପୂଜା ସମ୍ପନ୍ନ ହୋଇଥିଲା । ତେବେ ଅନ୍ୟାନ୍ୟ ଦେବୀ ଦେବଙ୍କ ପୂଜା ପରେ ବିଳମ୍ବରେ ବିସର୍ଜନ ହେଉଥିବା ବେଳେ ମାଆ କାଳୀଙ୍କ ପୂଜାରେ ତାହା ହୋଇନଥାଏ । ପୂଜା ସମ୍ପନ୍ନ ପରେ ପରେ ମାଆଙ୍କ୍ୁ ବିସର୍ଜନ ଦିଆଯାଇଥିଲା । ମାତ୍ର ଦେବୀଙ୍କ ମୃଣ୍ମୟମୂର୍ତିକୁ ଭକ୍ତଙ୍କ ଦର୍ଶନ ପାଇଁ ମଣ୍ଡପରେ ରଖାଯାଇଥାଏ । କେବଳ ସାର୍ବଜନୀନ ମଣ୍ଡପ ନୁହେଁ ମାଆ କାଳୀଙ୍କୁ ବହୁ ସ୍ଥାନରେ ଘରୋଇ ଭାବେ ମଧ୍ୟ ପୂଜା କରାଯାଇଥିଲା । ବିଭିନ୍ନ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଶ୍ରଦ୍ଧାର ସହିତ ମାଆଙ୍କ ଆରଧନା କରାଯାଇଥିଲା । ସେହିଭଳି ଦୀପାବଳିରେ ଦୀପଦାନ ଓ ଆତସବାଜି ଜାଳିବା କାହିଁ କେଉଁଦିନରୁ ପାଳିତ ହୋଇଆସଥିବା ବେଳେ ଚଳିତ ବର୍ଷ ଲୋକେ ମନଭରି ବାଣ ଫୁଟାଇବା ସାଙ୍ଗକୁ ରୋଷଣି ଜାଳିଥିଲେ । ଦୀପାବଳି ଅବସରରେ ପୟାଶ୍ରାଦ୍ଧା କରିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଲୋକେ ପିଣ୍ଡଦାନ କରିଛନ୍ତି ।
