୧୩ ଦିନରେ ଭାଷା ଶିକ୍ଷକଙ୍କ ଆନ୍ଦୋଳନ ସାନ୍ତାଳୀ ଭାଷାପ୍ରତି ସରକାରଙ୍କ ଛଳନାକୁ ବରଦାସ୍ତ କରାଯିବନି ଆନ୍ଦୋଳନକାରୀଙ୍କୁ ଆଦିବାସୀ ସଂଗଠନ ସମୁହର ବ୍ୟାପକ ସମର୍ଥନ ଦାବୀପୁରଣ ନହେଲେ ନଭେମ୍ବର ୧୫ରୁ ନବୀନ ନିବାସ ପଦଯାତ୍ରା
ବାରିପଦା : ସାନ୍ତଳ ଜନଜାତିର ମାତୃଭାଷା ସାନ୍ତାଳି ଏବଂ ଏହିଭାଷାର ଲିପି ଅଲଚିକି ୨୦୦୩ ମସିହା ଡିସେମ୍ବର ୨୨ ତାରିଖରେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହେବା ପରେ ସାନ୍ତାଳ ଜନଜାତିର ପିଲାମାନେ ନିଜ ମାତୃଭାଷାରେ ଶିକ୍ଷାପାଇବାର ସାମ୍ବିଧାନିକ ଅଧିକାର ହାସଲ କଲେ । ସେହି ଅନୁସାରେ ଓଡିଶା ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୬୦୮୯ ତା ୧୬/୧୧/୨୦୦୫ ରିଖରେ ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସଂଖ୍ୟାଧିକ ସାନ୍ତାଳି ଭାଷାଭାଷି ପିଲା ପଢୁଥିବା ବିଦ୍ୟାଳୟ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେବାପରେ ମୟୂରଭଂଜ ଜିଲ୍ଲାରେ ୧୫୭୩ଟି ବିଦ୍ୟାଳୟ ଚିହ୍ନଟ କରାଯାଇ ସରକାରଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ରିପର୍ଟ କରାଯାଇଥିଲା । ୨୦୦୬ ମସିହା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କର ମୟୂରଭଂଜ ଗସ୍ତ କାଳରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୦୦ଟି ସ୍କୁଲରେ ସାନ୍ତାଳୀ ଭାଷାରେ ଶିକ୍ଷାଦାନ ନିମନ୍ତେ ଘୋଷଣା କରିଥିଲେ । ଏହାପରେ ମୟୁରଭଂଜ ପ୍ରଶାସନ ସେହି ୧୦୦ ଗୋଟି ବିଦ୍ୟାଳୟ ପାଇଁ ସାନ୍ତାଳୀ ଭାଷା ପ୍ରଶିକ୍ଷକ ବିଜ୍ଞାପନ ପ୍ରକାଶକରି ୨୦୦୭ ମସିହାରୁ ୧୦୦ ଜଣ ସାନ୍ତାଳୀ ଭାଷା ପ୍ରଶିକ୍ଷକ ଚୁକ୍ତି ଭିତିରେ ନିଯୁକ୍ତି ଦେଇଥିଲେ । ପ୍ରଥମେ ଏମାନଙ୍କର ଦରମା ୧ହଜାର ଥିଲା ଯାହା ବର୍ତମାନ ୩୨ଶହ ଟଙ୍କାରେ ପହଂଚିଛି । ଦୀର୍ଘ ୧୫ ବର୍ଷ ହେଲା ସାନ୍ତାଳୀ ଭାଷା ପ୍ରଶିକ୍ଷକ ମାନେ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତି । ସରକାରଙ୍କ ଏଭଳି ମନୋଭାବ ଆଦିବାସୀ ମାନଙ୍କ ପ୍ରତି ଓ ସାନ୍ତାଳୀ ଭାଷାପ୍ରତି ଏହା ବଡ ଛଳନା ଓ କୁଠାରଘାତ ବୋଲି ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ମୟୂରଭଂଜ ଜିଲ୍ଲାରେ କାର୍ଯ୍ୟରତ ସାନ୍ତାଳି ଓ ମୁଣ୍ଡାରୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ କରିବା ଦାବୀରେ ଚାଲିଥିବା ଆନ୍ଦୋଳନ ଆଜି ୧୩ଦିନରେ ପହଂଚିଥିବା ବେଳେ, ବର୍ତମାନ ସୁଦ୍ଧା କୌଣଷି ସମାଧାନର ପନ୍ଥା ବାହାରି ପାରିନାହିଁ । ସେମାନେ ନିରନ୍ତର ଭାବରେ ଦୀର୍ଘ ୧୫ ବର୍ଷ ଧରି ନିଜ ମାତୃ ଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ସହିତ ଅଧାର କାର୍ଡ, କୋଭିଡ କାମ, ନିର୍ବାଚନ ଆଦି ଅନ୍ୟାନ୍ୟ ଅତିରିକ୍ତ ସରକାରୀ ଦାୟୀତ୍ୱ ସାଧାରଣ ଶିକ୍ଷକ ମାନଙ୍କ ଭଳି ତୁଲାଇ ଆସୁଥିଲେ ମଧ୍ୟ ଏମାନଙ୍କୁ ମାସିକ ମାତ୍ର ୩୨ଶହ ଟଙ୍କା ଦରମା ମିଳୁଛି । ତେବେ କିଛି ଦିନ ପୂର୍ବରୁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତି ଭିତିକ ନିଯୁକ୍ତି ଉଚ୍ଛେଦ କଲେ ବୋଲି ଘୋଷଣା କରିଥିଲେ ମଧ୍ୟ ଏହି ଅଳ୍ପ ସଂଖ୍ୟକ ସାନ୍ତାଳୀ ଏବଂ ମୁଣ୍ଡାରୀ ଭାଷା ଶିକ୍ଷକ ମାନଙ୍କୁ ନିୟମିତ ନକରିବାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବାର ଦେଖା ଯାଇଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଜେଏମଏମ, ପେସା ଗ୍ରାମସଭା, ମାସା ଆର୍ମୀ, ମୟୂରଭଂଜ ମୁକ୍ତି ମୋର୍ଚ୍ଚା, ଭଂଜସେନା ଆଦିବାସୀ ସେଲ, ନିଖିଳ ଓଡିଶା ସାନ୍ତାଳି ଅବିଭାବକ କ୍ରିୟାନୁଷ୍ଠାନ କମିଟି, ଆସେକା ରାଇରଙ୍ଗପୁର, ଭାରତ ଜାକାତ ମାଝି ପାର୍ଗାନା ମହଲ, ଆଦିବାସୀ ଅଧିକାର ମଂଚ, ଭାରତ ମୁଣ୍ଡା ସମାଜ ପ୍ରମୁଖ ଅନୁଷ୍ଠାନ ସହ ବହୁ ସାନ୍ତାଳି ଗ୍ରାମ ମୁଖିଆ ମାନେ ଏବଂ ମୟୂରଭଂଜର ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଁସଦା, ବିଜେପି ଆଦିବାସୀ ସେଲର ଫାଗୁ ହାଁସଦା, ବଡପଥରା ସରପଂଚ ମଙ୍ଗଲ ଚରଣ ମୁର୍ମୁ ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ, ଆଜି ଧାରଣା ସ୍ଥଳରେ ବାଲେଶ୍ୱର ଜିଲ୍ଲାର ସାନ୍ତାଳି ସାମାଜିକ ସଂଗଠନ ବାଲେଶ୍ୱର ମାଝୀ ପାର୍ଗାନା ମହଲର ପାର୍ଗାନା ବାବା ବୁଧୁରାମ ମାଝୀ ଏବଂ ତାଙ୍କ ସହଯୋଗୀ, ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ, ଡିଗିରପାହି ଶାଖାର କର୍ମକର୍ତା ଦାକ୍ଷୀନ ମୁର୍ମୁ, ସୁମିତ୍ରା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଦେବା ସହ ରାଜ୍ୟ ସରକାରଙ୍କ ବୈମାତୃ ମନୋଭାକୁ ତୀବ୍ର ସମାଲୋଚନା କରିଛନ୍ତି । ତେବେ ସରକାର ଏହି ଭାଷା ଶିକ୍ଷକ ମାନଙ୍କର ଦାବୀ ପୁରଣ ନକଲେ ପୂର୍ବ ଘୋଷଣା ମୁତାବକ ଆଗାମୀ ନଭେମ୍ବର ୧୫ ତାରିଖରେ ଶିକ୍ଷକ ମାନେ ପଦଯାତ୍ରାରେ ନବୀନ ନିବାସ ଯିବା ସହିତ କର ବା ମର ନିତୀ ଆପଣାଇବେ ବୋଲି ସାନ୍ତାଳି ଓ ମୁଣ୍ଡା ଭାଷା ଶିକ୍ଷକ ସଂଘର ସଭାପତି ଗୁଲା ମୁର୍ମୁ, ଉପସଭାପତି ରମାକାନ୍ତ ମାରାଣ୍ଡି, ସମ୍ପାଦକ ମାର୍ଶାଲ ଟୁଡୁ, ସହ ସମ୍ପାଦକ ଜିତେନ୍ଦ୍ର ମହାନ୍ତ ପ୍ରମୁଖ ପ୍ରତିକ୍ରିୟାରେ କହିଛନ୍ତି ।
