ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏମୁ ପକ୍ଷୀର ମୃତ୍ୟୁ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଜୀବଜନ୍ତୁଙ୍କ ଲଗାତାର ମୃତ୍ୟୁ ହେବା ଉଭୟ ପଶୁପକ୍ଷୀ ପ୍ରେମୀ ଓ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଶନିବାର ଧଳାବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଥିବା ବେଳେ ରବିବାର ୭୩ ନଂ ଖୁଆଡ଼ରେ ରହୁଥିବା ଏକ ଏମୁ ପକ୍ଷୀର ମୃତ୍ୟୁ ହୋଇଛି । ଖୁଆଡ଼ରେ ନିଜ ନିଜ ମଧ୍ୟରେ ଲଢ଼େଇ ହେବାରୁ ଏମୁଟି ଗୁରୁତର ହୋଇଥିଲା ।
ଚିକିତ୍ସା ଚାଲିଥିବା ବେଳେ ତାର ମୃତ୍ୟୁ ହୋଇଛି । ରବିବାର ମଧ୍ୟାହ୍ନରେ ଖୁଆଡ଼ ମଧ୍ୟରେ ଥିବା ଏକ ଏମୁ ହଠାତ୍ ଆକ୍ରମଣାତ୍ମକ ହୋଇ ଅନ୍ୟମାନଙ୍କୁ ଗୋଡ଼ାଇ କାମୁଡ଼ିବାକୁ ଲାଗିଥିଲା । ଏହାରି ଭିତରେ ଦୁଇ ଏମୁଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଲାଗିଯାଇଥିଲା । ଏଥିରେ ଗୋଟିଏ ଏମୁ ଗୁରୁତର ହୋଇ ପଡିଥିଲା । ଖବର ପାଇ ଜନ୍ତୁ ରେଞ୍ଜର ଓ ପଶୁ ଚିକିତ୍ସକ ଖୁଆଡ଼ ନିକଟରେ ପହଞ୍ଚି ଏମୁଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଅଣିଥିଲେ । କିନ୍ତୁ ଚିକିତ୍ସିତ ହେବା ସମୟରେ ତାର ମୃତ୍ୟୁ ହୋଇଥିଲା ।
