ଡମ୍ଫର ଧକ୍କାରେ କଲେଜ ଛାତ୍ରୀ ମୃତ, ଟାୟାର୍ ଜାଳି ରାସ୍ତା ଅବରୋଧ
ଔପଦା : ବାଲେଶ୍ୱର ଜିଲା ଔପଦା ବ୍ଲକ ଅନ୍ତର୍ଗତ ଔପଦା-ଫତେପୁର ରାସ୍ତାର ଆଦର୍ଶ ବିଦ୍ୟାଳୟ ନିକଟରେ ଡମ୍ଫର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଗାଡି ସହ ଚାଳକକୁ ଔପଦା ଥାନାରେ ଅଟକ ରଖାଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମିଶି ରାସ୍ତାରେ ସବା ରଖି ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିବା ଜଣାପଡିଛି ।
ଔପଦା ଥାନା ରାଇରାମଚନ୍ଦ୍ରପୁର ପଞ୍ଚାୟତ ମହିଁଷାଡାଳି ଦେଉରୀସାହି ଗ୍ରାମର ଧନୁର୍ଜୟ ପାତ୍ରଙ୍କ ଝିଅ କରିସ୍ମା ଔପଦା କଲେଜର ଯୁକ୍ତ ୨ ପ୍ରଥମ ଶ୍ରେଣୀରେ ପଢ଼େ । ପ୍ରତିଦିନ ପରି କରିସ୍ମା ନିଜ ସାଇକେଲରେ ଶନିବାର ପୂର୍ବାହ୍ନ ୯ଟା ୩୦ ମିନିଟ୍ ସମୟରେ ଉକ୍ତ ରାସ୍ତା ଦେଇ କଲେଜ ଆସୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ଏକ ପୋଲ ଠାରେ ଡମ୍ଫରଟି ପଛ ପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଛାତ୍ରୀ ଜଣଙ୍କ ରାସ୍ତା ତଳକୁ ଛିଟିକି ପଡ଼ି ଚେତା ହରାଇଥିଲେ । ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ ଭୟରେ ଚାଳକ ଗାଡ଼ିଟିକୁ ଦ୍ରୁତ ଗତିରେ ନେଇ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଅଟକାଇବାରୁ ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲେ । ଅଚେତ୍ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଔପଦା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ସୋର ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଛାତ୍ରୀର ମୃତ୍ୟୁ ପାଇଁ ଔପଦା କଲେଜର ସମସ୍ତ ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକଙ୍କ ପକ୍ଷରୁ ଶୋକ ସଭା କରାଯାଇଥିବା ଜଣାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଓ ଗ୍ରାମବାସୀ ଥାନା ଆଗରେ ଶବକୁ ରଖି କ୍ଷତି ପୂରଣ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ପରେ ଛାତ୍ରୀର ମୃତଦେହକୁ ନେଇ ଥାନା ସମ୍ମୁଖରେ ଥିବା ଗଣ୍ଡିବେଡ଼-ଔପଦା ରାସ୍ତାରେ ଟାୟାର୍ ଜାଳି ଅବରୋଧ କରିଥିଲେ ।
ସୂଚନା ଯେ, ଔପଦାରୁ ଫତେପୁର ପର୍ଯ୍ୟନ୍ତ ୭କିମିରୁ ଉର୍ଦ୍ଧ୍ୱ ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ ଏହି ବିପଦପୂର୍ଣ୍ଣ ରାସ୍ତାରେ ବିଭିନ୍ନ ଅଞ୍ଚଳରୁ ଚୋରାରେ କଞ୍ଚାମାଲ ଚାଲାଣ କରାଯାଉଥିବାରୁ ଧରା ପଡ଼ିଯିବା ଭୟରେ ଏପରି ଅଚାନକ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
