ଆଜି ରମା ଏକାଦଶୀ! କରନ୍ତୁ ଭଗବାନ ବିଷ୍ଣୁ ଏବଂ ମା’ଲକ୍ଷ୍ମୀଙ୍କ ପୂଜା, ଅଶେଷ ପୁଣ୍ୟ ପ୍ରାପ୍ତି ହେବ
ପ୍ରତିବର୍ଷ ଦୀପାବଳି ପୂର୍ବରୁ ପଡ଼ୁଥିବା କାର୍ତିକ କୃଷ୍ଣପକ୍ଷ ଏକାଦଶୀ ତିଥି ରମା ଏକାଦଶୀ ନାମରେ ପ୍ରସିଦ୍ଧ । ଏହି ପବିତ୍ର ଏକାଦଶୀ ତିଥି ରମା ଏକାଦଶୀ ନାମରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଭଗବାନ ବିଷ୍ଣୁ ଏବଂ ମା’ଲକ୍ଷ୍ମୀଙ୍କ ପୂଜା କରାଯାଇ ଥାଏ । ରମା ବା ରମ୍ଭା ଏକାଦଶୀ ଚର୍ତୁମାସର ଅନ୍ତିମ ଏକାଦଶୀ ହୋଇଥିବାରୁ ଏହାର ବିଶେଷ ମହତ୍ୱ ରହିଛି । ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କୁ ଧ୍ୟାନ କରି ବ୍ରତ ରଖୁଥିବା ବ୍ୟକ୍ତିର ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । ବ୍ରତଧାରୀ ପାପ କର୍ମର ପ୍ରଭାବରୁ ମୁକ୍ତ ହୋଇ ଉତମ ଲୋକରେ ସ୍ଥାନ ପାଇଥାଏ । ଏହି ବ୍ରତ ପୂଜା କରିବା ସହ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରାଯାଏ ।
ରମା ଏକାଦଶୀ ପାଳନ ପଛରେ ଏକ ପୌରାଣିକ କାହାଣୀ ରହିଛି । ପ୍ରାଚୀନ କାଳରେ ମୁଚୁକୁନ୍ଦ ନାମକ ଜଣେ ରାଜା ଥିଲେ । ତାଙ୍କ ଜ୍ୱାଇଁ ଶୋଭନ ଏହି ବ୍ରତ ରଖିଥିଲେ । ଶାରୀରିକ ଭାବେ ଦୁର୍ବଳ ହୋଇ ଥିବାରୁ ସେ ଭୋକଶୋଷରେ ରହି ନପାରି ପ୍ରାଣତ୍ୟାଗ କଲେ । ତେବେ ବ୍ରତର ପ୍ରଭାବରେ ଶୋଭନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତି ହେଲା । ରମ୍ଭା, ମେନକା ଆଦି ଅପସରା ତାଙ୍କର ସେବା କଲେ ।
ଓଡ଼ିଆ ଆଧ୍ୟାତ୍ମିକ ଓ ଜନଜୀବନରେ ଚେତନାରେ ରମା ଏକାଦଶୀ ଏକ ଦିବ୍ୟ ସ୍ମରଣୀୟ ଦିବସ । ଏହି ଦିନ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ଓ ବ୍ରତଚାରୀମାନେ ନିଷ୍ଠାର ସହିତ ଦିବସଟିକୁ ପାଳନ କରିଥାନ୍ତି । ସ୍ୱଭାବିକ ଭାବେ କାର୍ତିକ ମାସ ଚାଲିଥିବାରୁ ଏହାର ଗୁରୁତ୍ୱ ଆହୁରି ବଡ଼ିଯାଇଥାଏ । ତୁଳସୀ ଚଉରାରେ ଅଖଣ୍ଡ ଦୀପ ସହ ହବିଷ ଅନ୍ନ ଓ ଫଳ ଗ୍ରହଣ ସହ ଏହି ଦିବସରେ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ବ୍ରତ ପ୍ରଦାନ କରିଥାନ୍ତି ।
ସେହିପରି ପୁରୀ ଶ୍ରୀମନ୍ଦିରରେ ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆନନ୍ଦ ବଜାରରେ ମହାପ୍ରସାଦ ପାଇଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ । ଅନେକ ବ୍ରତଚାରୀ ଏହି ଦିନରେ ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ପାଇଁ ଅନ୍ନଦାନର ସେବା କାର୍ଯ୍ୟକ୍ରମ ରଖିଥାନ୍ତି । ଏହି ଦିନ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଭିତରେ ଦିନଟିକୁ ଭଗବାନଙ୍କ ପ୍ରତି ସମର୍ପଣ କରି ଆଧ୍ୟାତ୍ମିକ ଶ୍ରଦ୍ଧାଳୁମାନେ ପାଳନ କରିଥାନ୍ତି ।
