ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଆଜି ମେଲବୋର୍ଣ୍ଣ ଗସ୍ତରେ ଯିବ ଭାରତ
ନୂଆଦିଲ୍ଲୀ : ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଟିମ ଇଣ୍ଡିଆ । ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଚଳିତ ଟି-୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବାକୁ ଯାଉଛି। ତେବେ ଭାରତ ତାର ପ୍ରଥମ ମ୍ୟାଚ ପୂର୍ବରୁ ଗୋଟିଏ ଓ୍ୱାର୍ମ ଅପ ମ୍ୟାଚ ଖେଳିସାରିଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଓ୍ୱିକେଟରେ ବିଜୟ ହାସଲ କରିସାରିଛି। ତେବେ ପ୍ରବଳ ବର୍ଷା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବାତିଲ ହୋଇଥିଲା। ତେବେ ଏହି ମ୍ୟାଚଟି ବ୍ରିସବେନରେ ହେବାର ଥିଲା। ପ୍ରବଳ ବର୍ଷା କାରଣରୁ ଟସ ମଧ୍ୟ ପଡ଼ି ପାରିନଥିଲା।
ତେବେ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୩ ତାରିଖରେ ଭାରତ ମଇଦାନକୁ ଓହ୍ଲାଇବ। ମେଲବୋର୍ଣ୍ଣରେ ଏହି ମ୍ୟାଚଟି ଖେଳାଯିବ। ତେବେ ବ୍ରିସବେନରେ ରହିଥିବା ଭାରତୀୟ ଦଳ ଆଜି ଅର୍ଥାତ ଅକ୍ଟୋବର ୨୦ ତାରିଖରେ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିବ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିବାର ସମ୍ଭାବନା ଯଥେଷ୍ଟ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ମଧ୍ୟ ପ୍ରବଳ ବର୍ଷା କାରଣରୁ ବାତିଲ କରିଦିଆଯାଇଥିଲା। ଏହା ପୂର୍ବରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ମ୍ୟାଚକୁ ଅଧାରୁ ଖାରଜ କରିଦିଆ ଯାଇଥିଲା।
ତେବେ ଭାରତ ତାର ପ୍ରଥମ ଓ୍ୱାର୍ମ ଅପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କେଏଲ ରାହୁଲ ୫୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହପରି ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ। ଉଭୟ ରାହୁଲ ଓ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ୭ ଓ୍ୱିକେଟରେ ୧୮୬ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା। ଦଳର ଅଧିନାୟକ ଆରୋନ ଫିଞ୍ଚ ୫୪ ବଲରେ ୭୬ ରନର ଦ୍ରୁତ ଇନିଂସ ଖେଳିଥିଲେ ମଧ୍ୟ ଅଷ୍ଟ୍ରେଲିଆ ପରାଜୟର ମୁହଁ ଦେଖିଥିଲେ।
ସେପଟେ ଭାରତୀୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛି। ଦଳ ମଧ୍ୟରେ ଏକାଧିକ ଖେଳାଳି ଆହତ ହୋଇଛନ୍ତି। ପେସର ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସାମି ସ୍ଥାନ ପାଇଛନ୍ତି। ସାମି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ୪ ରନ ଦେଇ ସର୍ବାଧିକ ୩ଟି ଓ୍ୱିକେଟ ହାତେଇଛନ୍ତି ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ରାହୁଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମୀ ।
ଅଷ୍ଟ୍ରେଲିଆ ସ୍କ୍ୱାଡ଼: ଆରୋନ ଫିଞ୍ଚ(ଅଧିନାୟକ), ମାଥ୍ୟୁ ଓ୍ୱେଡ଼, ଡେଭିଡ଼ ଓ୍ୱାର୍ଣ୍ଣର, ମାର୍କସ ଷ୍ଟୋଇନିସ, ଆଷ୍ଟନ ଆଗର, ପାଟ କମିନ୍ସ, ଟିମ ଡେଭିଡ଼, ଜୋଶ ହେଜଲଉଡ଼, ଜୋସ ଇଂଲିସ, ମିଚେଲ ମାର୍ସ, ଗ୍ଲେନ ମ୍ୟାକ୍ସଓ୍ୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଏଡ଼ମ ଜାମ୍ପା ।
