ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କ ବିୟୋଗରେ ଶୋକସଭା ।
ଝାରସୁଗୁଡ଼ା : ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଞ୍ଜିତା ପଣ୍ଡାଙ୍କ ବିୟୋଗରେ ଆଜି ଏକ ଶୋକ ସଭା ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । ଅମର ଆତ୍ମାର ସଦଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରୀମତୀ ପଣ୍ଡାଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ସାମଲ , ଜଣେ ଦାୟିତ୍ୱ ସଚେତନ ଅଧିକାରୀ ଭାବରେ ଶ୍ରୀମତୀ ପଣ୍ଡା କର୍ତ୍ତବ୍ୟ ତୁଲାଇବା ଓ ସ୍ପଷ୍ଟ ଭାବରେ ନିଜ ମତ ପ୍ରକାଶ କରୁଥିଲେ ବୋଲି କହିଥିଲେ । ନିଷ୍ଠା , ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଉଥିଲା ବୋଲି ଉଲ୍ଲେଖ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା ଓ ଶୋକ ସନ୍ତପ୍ତ ପରିବାର ପ୍ରତି ଜିଲ୍ଲାପାଳ ଗଭୀର ସମବେଦନା ଜ୍ଞାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ, ପିଡି(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଓ ପିଓ ବୃନ୍ଦାବତୀ ପଣ୍ଡା ପ୍ରମୁଖ ଶ୍ରୀମତୀ ପଣ୍ଡାଙ୍କ କାର୍ଯ୍ୟ ଦକ୍ଷତା ଓ ଗୁଣାବଳୀର ସ୍ମୃତି ଚାରଣ କରିଥିଲେ। ସରକାରୀ ଚାକୀରିର ବ୍ୟସ୍ତତା ଭିତରେ ରହି ମଧ୍ୟ ସାହିତ୍ୟ ପ୍ରତି ସେ ରୁଚି ରଖୁଥିଲେ ଏବଂ ତାଙ୍କର କବିତା ସଙ୍କଳନ ଓ ପତ୍ର ପତ୍ରିକାରେ ଲେଖା ମାଧ୍ୟମରେ ସେ ଝାରସୁଗୁଡ଼ାର ସାହିତ୍ୟିକ ମହଲରେ ପରିଚିତା ଥିଲେ ବୋଲି ସଭାରେ ଆଲୋଚନା ହୋଇଥିଲା
