ଜଳେଶ୍ୱରର ଝିଅ ଓଡିଶା ପାଇଁ ଆଣିଲେ ଗୌରବ ୨୦୨୧ ବ୍ୟାଚ୍ର ଆଇ.ଏ.ଏସ୍ ଫଳ ପ୍ରକାଶିତ : ୩୫ ର୍ୟାଙ୍କରେ ରଶ୍ମି ପ୍ରଧାନ
ଜଳେଶ୍ୱର : ଜଳେଶ୍ୱର ମାଟିର ଝିଅ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି । ନିକଟରେ ପ୍ରକାଶ ପାଇଛି ୟୁପିଏସ୍ସି-୨୦୨୧ ର ପରୀକ୍ଷା ଫଳ । ସେଥିରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଗାଁର ଝିଅ ରଶ୍ମି ପ୍ରଧାନ ସର୍ବଭାରତୀୟ ସ୍ତରରେ ୩୫ ର୍ୟାଙ୍କରେ ଥିବାରୁ ଜଳେଶ୍ୱରରେ ଆନନ୍ଦର ଲହରି ଖେଳି ଯାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ସୁବର୍ଣ୍ଣରେଖା ନଦୀକୂଳ ଝାଡପିମ୍ପଳ ଗାଁର ବୈଜ୍ଞାନୀକ ରାଧାଶ୍ୟାମ ପ୍ରଧାନ ଓ ଶିୟୟତ୍ରୀ ମିନାକୁମାର ପ୍ରଧାନଙ୍କ କୂଳମଣ୍ଡନ କରି କନ୍ୟା ରଶ୍ମି ୨୬-୧୧-୧୯୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀ ପ୍ରଧାନ ଭୂବନେଶ୍ୱରର ଭୂତଳ ଜଳ ଉନ୍ନୟନ ବିଭାଗର ବରିଷ୍ଠ ଜଳ ତତ୍ୱବିତ୍ ଥିବା ବେଳେ ମା ଭୂବନେଶ୍ୱରର ଏକ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଛନ୍ତି । ପିଲାଦିନରୁ ରଶ୍ମି ମେଧାବୀ ଛାତ୍ରୀ ଥିଲେ । ଭୁବନେଶ୍ୱର ଡିଏଭି ପବ୍ଲିକ ସ୍କୁଲରେ ଶିକ୍ଷାଲାଭ କରି ୨୦୧୩ ମସିହାରେ ମ୍ୟାଟ୍ରିକ, ୨୦୧୫ ମସିହାରେ +୨ ବିଜ୍ଞାନ ଓ ୨୦୧୯ ମସିହାରେ ଓୟୁଏଟି ବିଶ୍ୱ ବିଦ୍ୟାଳୟରୁ ସ୍ନାତକରେ କୃତିତ୍ୱର ସହ ଉର୍ତ୍ତିର୍ଣ୍ଣ ହୋଇଥିଲେ । ୨୦୨୦ ମସିହାରେ ଓଏଏସ୍ରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ । ୨୦୨୧ରେ ସେ ୟୁପିଏସ୍ସି ପରୀକ୍ଷା ଦେଇ ଥିଲେ । ଗତ କିଛିଦିନ ତଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ୬୩ଜଣ ର୍ୟାଙ୍କ ପାଇଥିବା ବେଳେ ରଶ୍ମି ପ୍ରଧାନଙ୍କ ନାମ ୩୫ରେ ରହିଛି ବୋଲି ଜଣାଯାଇଛି । ସେ ଏକମାତ୍ର ଓଡିଆଭାବେ କୃତିତ୍ୱ ହାସଲ କରିଥିବାରୁ ଜଳେଶ୍ୱରରେ ଖୁସିର ଲହରି ଖେଳି ଯାଇଛି । ତାଙ୍କର ଏପରି ସଫଳତା ପଛରେ ବାପା, ମା ଓ ପରିବାରବର୍ଗଙ୍କ ସହଯୋଗ ଥିବା ସେ କହିଛନ୍ତି । ପିଲାଦିନରୁ ଆଇଏଏସ୍ ହେବାର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଥିବା ବେଳେ ସେ ଦେଶ, ରାଜ୍ୟ ଓ କୃଷକମାନଙ୍କ ଲାଗି କାର୍ଯ୍ୟକରିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି ।
