ବାଲେଶ୍ୱର : ୪୭ ବାଛୁରୀ ଉଦ୍ଧାର, ଡ୍ରାଇଭର ଓ ହେଲ୍ପର ଅଟକ
ବାଲିଆପାଳ : ଓଡ଼ିଶାରେ ଗୋ ଚୋରା ଚାଲାଣ ଦିନକୁ ଦିନ ବଢୁଥିବାରୁ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ସ୍ଥାପନ କରି ପୋଲିସ ପକ୍ଷରୁ ପ୍ରହରା ଦିଆଯାଉଛି । ଫଳରେ ଗୋଚାଲାଣ କାରି ମାନେ ଜାତୀୟ ରାଜପଥ ଛାଡ଼ି ଗାଁ ଗଳିକନ୍ଦିଦେଇ ଗୋଚାଲାଣର ରାସ୍ତା ଆପଣେଇଛନ୍ତି । ସେହିପରି ବାଲେଶ୍ୱର ଜିଲାରେ ୬୦ ନମ୍ୱର ଜାତୀୟ ରାଜପଥରେ ଜୋରଦାର ଧରପଗଡ଼ ପାଇଁ ଜାତୀୟ ରାଜପଥ ଛାଡ଼ି ଗୋଚୋରାଚାଲାଣ କାରୀ ଗଳିକନ୍ଦି ଦେଇ ପଶ୍ଚିମବଙ୍ଗରେ ପଶିବାକୁ ଉଦ୍ୟମ କରୁଥିବା ସମୟରେ ବୁଧବାର ଭୋର ଏକ ବାଛୁରୀ ବୋଝେଇ ଟ୍ରକ୍ (ନଂ. ଡବ୍ଲୁବି୨୯ବି-୮୨୧୫)କୁ ବାଲିଆପାଳ ପୋଲିସ ପାରୁଲିଆ ଛକରୁ ଜବତ କରିଛି । ସେଥିମଧ୍ୟରୁ ୪୭ଟି ବାଛୁରୀକୁ ଉଦ୍ଧାର କରି ବାଲେଶ୍ୱର ଗୋଶାଳାରେ ଛାଡ଼ିଥିବାର ଜଣାପଡ଼ିଛି ।
ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିବାର ସୁରାକ ପାଇ ବାଲିଆପାଳ ଆଇଆଇସି ସୁବ୍ରତ କୁମାର ବେହେରା ସ୍ଥାନୀୟ ଅଞ୍ଚଳରେ ପ୍ରହରାକୁ ଜୋରଦାର କରିଦେଇଥିଲେ । ପୋଲିସ ବିଭିନ୍ନ ଗଳି ବାଟରେ ପଇଁତରା ମାରୁଥିବା ସମୟରେ ବୁଧବାର ଭୋର ବାଲିଆପାଳ-କମର୍ଦ୍ଦା ରାସ୍ତାର ପାରୁଳିଆ ଛକ ନିକଟରୁ ଏକ ବାଛୁରୀ ବୋଝେଇ ଟ୍ରକ୍କୁ ଜବତ କରିବା ସହିତ ଟ୍ରକ ଡ୍ରାଇଭର ଓ ହେଲ୍ପରକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ବାଲିଆପାଳ ପୋଲିସ ବୁଧବାର ସକାଳେ ବାଛୁରୀ ଗୁଡ଼ିକର ସ୍ୱାସ୍ଥ୍ୟ ପରୀକ୍ଷା କରି ବାଲେଶ୍ୱର ଗୋଗୋଶାଳାରେ ଛାଡ଼ିଛି । ଏଏସ୍ଆଇ ଜ୍ୟୋତିରଞ୍ଜନ ମିଶ୍ର, ପିଥ ହେମ୍ରମଙ୍କ ସହିତ ଅନ୍ୟ ପୋଲିସ ଗୋରୁ ଗାଡ଼ିକୁ ଜବତ କରିଥିବା ବେଳେ ଜ୍ୟୋତିରଞ୍ଜନ ମିଶ୍ର ଏବଂ ମନୋରଞ୍ଜନ ପୁହାଣ, ଉଦ୍ଧାର ୪୭ ବାଛୁରୀକୁ ଗୋଶାଳାରେ ଛାଡ଼ିଛନ୍ତି ।
