ସ୍ତ୍ରୀ ମୃତ ସ୍ୱାମୀ ଆହତ ତେଲ ଟ୍ୟାଙ୍କର ଧକ୍କାରେ
ଝାରସୁଗୁଡ଼ା : ୪୯ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ପଛ ପଟରୁ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ସ୍ତ୍ରୀର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ ଦରିଆମାଲର ରମେଶ ରାଉତ ପତ୍ନୀଙ୍କ ସହିତ ବାଇକ ଯୋଗେ ବନ୍ଧବାହାଲରେ ରହୁଥିବା ନିଜ ଝିଅ ପାଖକୁ ଯାଉଥିଲେ । ଓରିଏଂଟ ଥାନା ଅନ୍ତର୍ଗତ ୯ ନମ୍ବର ସମ୍ମୁଖରେ ଉଭୟଙ୍କୁ ପଛ ପଟରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ତେଲ ଟ୍ୟାଙ୍କର (ଓଆର ୨୩ ଏଫ୍ ୮୦୮୬) ଟି ହୋଣ୍ଡା ବାଇକ (ଓଡ଼ିଏ୨୪୮୭) ପରେ ଚଢିଯିବାରୁ ରମେଶଙ୍କ ଉଭୟ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଚିଂ ଆହତ ରମେଶଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଅଧିକ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ କିଛି ସମୟ ପାଇଁ ଜାତୀୟ ରାଜପଥ ଅବରୋଧ କରିବା ଯୋଗୁଁ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସେପଟେ ବ୍ରଜରାଜନଗର ଏବଂ ଓରିଏଂଟ ପୁଲିସ ଭିଡକୁ ନିୟନ୍ତ୍ରଣ କରିବା ପରେ ରାସ୍ତା ଜାମ ହଟିଥିଲା । ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ଜବତ କରିବା ସହିତ ମହିଳାଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ।
