ପଟ୍ଟାମୁଣ୍ଡାଇ ତହସିଲ ସରକାରୀ ଜମି ଜାଲିଆତି ଘଟଣା: ଅଭିଯୋଗର ଶୁଣାଣୀ ପାଇଁ ନୋଟିସ କରି ଉପଜିଲ୍ଲାପାଳ ରହିଲେନି
କେନ୍ଦ୍ରାପଡା : ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଅଭିଯୋଗର ଶୁଣାଣୀ ପାଇଁ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରି ଅଭିଯୋଗକାରୀଙ୍କୁ ନୋଟିସ ଜାରି କରାଯାଇଥିଲେବି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ନେଇ ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ୧୮ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେହି ଅଭିଯୋଗର ଶୁଣାଣୀ କରାଯିବ ବୋଲି ପଟ୍ଟାମୁଣ୍ଡାଇ ତହସିଲଦାର ପତ୍ର ସଂଖ୍ୟା – ୪୩୨୮ ତା୧୦/୧୦/୨୦୨୨ରିଖରେ ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟକୁ ନୋଟିସ ପ୍ରଦାନ କରିଥିଲେ । କିନ୍ତୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଘଟିକାରେ ପହଞ୍ଚି ହାଜିରା ପ୍ରଦାନ କରିଥିଲେବି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ନେଇ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରି ଶେଷରେ ଫେରିଯିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ପ୍ରଶାସନ ତାଙ୍କୁ ଏଭଳି ହତୋତ୍ସାହିତ କରିବା ଘଟଣା ଶ୍ରୀ ଆଚାର୍ଯ୍ୟଙ୍କୁ ମର୍ମାହତ କରିଥିବା ସେ କହିଛନ୍ତି । ଘଟଣା ଅନୁଯାୟୀ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଗତ ୩୧ଅଗଷ୍ଟରେ ଧାରଣା ଦେଇଥିଲେ । ଧାରଣା ଷଷ୍ଠ ଦିବସରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ ପରେ ଶ୍ରୀ ଆଚାର୍ଯ୍ୟ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥିବା ସହିତ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ସେହି ଘଟଣାରେ ଦୋଷୀଙ୍କ ବିରୋଧରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗତ ୧ତାରିଖରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ । ତେଣୁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କୁ ସେହି ତହସିଲର ଆର.ପି.କେଶ ନମ୍ବର ୪୭୪/୨୦୦୭ ଏବଂ ମିସ କେଶ ନମ୍ବର ୧୭/୨୦୧୧ ଉପରେ ସେ କରିଥିବା ଅଭିଯୋଗର ଶୁଣାଣୀ ୧୮ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବ ଓ ଶ୍ରୀ ଆଚାର୍ଯ୍ୟ ଆବଶ୍ୟକ କାଗଜାଦ ସହ ଉପସ୍ଥିତ ରହିବାକୁ ପଟ୍ଟାମୁଣ୍ଡାଇ ତହସିଲଦାର ତାଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ଶ୍ରୀ ଆଚାର୍ଯ୍ୟ ନୋଟିସ ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେବି ଉପଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଘଟଣା ଏଭଳି ଏକ ସରକାରୀ ଜମି ଜାଲିଆତି ଘଟଣାକୁ ଏଡାଇଯିବା ପାଇଁ ନୁହେଁତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ପଚରାଯିବାରେ ସେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦ୍ରାପଡା ଗସ୍ତ ଯୋଗୁଁ ତାଙ୍କ ସହିତ ଥିବାରୁ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା କହିଛନ୍ତି । ଖୁବଶୀଘ୍ର ସଂପୃକ୍ତ ଅଭିଯୋଗର ଶୁଣାଣୀ ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯାଇ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ।
