ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ! ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ
ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ। ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଶିମିଳିପାଳରେ ବୁଲାବୁଲି କରିବା ସହ ଜାତୀୟ ଉଦ୍ୟାନର ସୌନ୍ଦର୍ଯ୍ୟମୟ ପରିବେଶ ମନଭରି ଉପଭୋଗ କରିପାରିବେ ଦର୍ଶକ। ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର କହିଛନ୍ତି ।
ଶିମିଳିପାଳ ଯିବାକୁ ହେଲେ ଯଶିପୁର ଓ ବାରିପଦା ଦେଇ ଯିବାକୁ ପଡିବ । ଶିମିଳିପାଳ ଭିତରେ ଗୁଡିଗୁଡିଆ, କୁମାରୀ, ଜାମୁଆଣି ଓ ବରେଇପାଣିରେ ରାତ୍ରି ଯାପନ କରିବାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଭିତରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଶାଳପତ୍ର ଖୋଲି ଓ ଚଉପତି ନେବାକୁ ଯୋଜନା କରିଛନ୍ତି ଶିମିଳିପାଳ କର୍ତୃପକ୍ଷ । ସୂଚନା ଯେ, ବର୍ଷା ଦିନ ପାଇଁ ଗତ ଜୁନ ୧୬ରୁ ପର୍ଯ୍ୟଟକଙ୍କ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଏବେ ମୌସୁମୀ ଯିବା ପରେ ରାସ୍ତା ଓ ପୋଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି।
