ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ, ନୂଆ ଗୋଶାଳା ଗୃହକୁ କଲେ ଉଦଘାଟନ
ବାରିପଦା : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମୟୂରଭଞ୍ଜରେ ପହଞ୍ଚି ପ୍ରଥମେ କପ୍ତିପଦା ଉପଖଣ୍ଡର ଶାଳଚୁଆରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ଶ୍ୟାମାଖୁଣ୍ଟା ବ୍ଲକର ଗୁଣ୍ଡିହୁଡିରେ ଥିବା ଶ୍ରୀ ରାଧାକୃଷ୍ଣ ଗୋସେବା ସମିତିର ଏକ ନୂଆ ଗୋଶାଳା ଗୃହ ଉଦଘାଟନ କରିଛନ୍ତି। ଏହି ଅବସରରେ ସମାଜରେ ଗାଈର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଛନ୍ତି ଯେ, ଗାଈକୁ ଯିଏ ପଶୁ ଭାବନ୍ତି ସେ ନିଜେ ଜଣେ ପଶୁ । କେବଳ ସେତିକି ନୁହେଁ ଭାରତବର୍ଷର ଅର୍ଥନତୀ କୃଷକ ଓ ଗୋପାଳକଙ୍କ ଉପରେ ନିର୍ଭର କରେ ବୋଲି ସେ ଜଣାଇଛନ୍ତି।
ପରେ ସନ୍ଧ୍ୟାରେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଗଡିଆ ଠାରେ ଥିବା ଚିନ୍ତାମଣି ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ରାଜ୍ୟପାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୭.୨୫ ମିନିଟ ସମୟରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରି ସୋମବାର ଅର୍ଥାତ ଅକ୍ଟୋବର ୧୭ ସକାଳ ୮ଟାରେ ବାହାରି ମୟୂରଭଞ୍ଜ ଜିଲାର ବିଶୋଇ, ଯଶିପୁର ଦେଇ କେନ୍ଦୁଝର ଜିଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
