କୃଷି ଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି ! ଜାଣନ୍ତୁ ଏହାର ମହତ୍ତ୍ୱ
ଉତ୍କଳୀୟ ଚେତନାରେ ସର୍ବଦା ପର୍ବପର୍ବାଣୀକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହା କହିବାକୁ ଗଲେ ଓଡ଼ିଆ ଜନଜୀବନର ଭିନ୍ନ ଏକ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ଷର ଋତୁ ଅନୁଯାୟୀ ବିଭିନ୍ନ ସମୟରେ ବର୍ଷ ତମାମ ଯେଉଁ ପର୍ବପର୍ବାଣୀ ପାଳିତ ହୋଇଥାଏ ସେଥିରେ କିଛି ଗୁରୁତ୍ୱପୂର୍ଣ୍ଣ ସଂକ୍ରାନ୍ତିର ସ୍ଥାନ ବି ରହିଛି । ଧନୁ ମୁଆଁର ସ୍ମୃତି ରଖୁଥିବା ଧନୁ ସଂକ୍ରାନ୍ତି ହେଉ ବା ଉତ୍କଳୀୟ ଜୀବନରେ ସମସ୍ତଙ୍କର ପ୍ରିୟ ରଜକୁ ନେଇ ରଜ ସଂକ୍ରାନ୍ତି ଏବଂ ବର୍ଷର ପ୍ରାରମ୍ଭିକ ସଂକ୍ରାନ୍ତିକୁ ବୁଝାଉଥିବା ଆଦ୍ୟ ମକର ସଂକ୍ରାନ୍ତି ପରି ବିଷୁବ ସଂକ୍ରାନ୍ତି ଓ ଗର୍ଭଣା ସଂକ୍ରାନ୍ତିର ମଧ୍ୟ ଗୁରୁତ୍ୱ ରହିଛି ।
ଓଡ଼ିଶାର ପର୍ବପର୍ବାଣିଗୁଡ଼ିକ ସାଧାରଣତଃ ଋତୁ, ଧର୍ମ ଓ ସାମାଜିକ ଭିତିରେ ପାଳନ କରାଯାଏ । ସେଥିରୁ ଅନେକ ପର୍ବ ହେଉଛି କୃଷି ସମ୍ପର୍କିତ । ଯେମିତି ଚାଷ କାର୍ଯ୍ୟ ଆରମ୍ଭରେ ପାଳିତ ହୁଏ ଅକ୍ଷୟ ତୃତୀୟା, ତୁଳ ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭ୍ରୁଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହେବାର ପ୍ରବାଦ ଅଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀକୁଳ ଏହି ଦିନଟିକୁ ନିଷ୍ଠାର ସହ ପାଳନ କରନ୍ତି । ଗୃହକର୍ତା ତଥା କୃଷକ ସ୍ନାନ ସାରି ଗର୍ଭଣା ଗଛର ଡାଳ ଆଣି ବିଧିବଦ୍ଧ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି ।
ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି “ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ ।’ ଅର୍ଥାତ୍ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ । ସେହିପରି ଆର୍ୟୁବେଦିକ ଚିନ୍ତନରେ ଗର୍ଭଣା ଫଳକୁ ପ୍ରାଚୀନ ଶାସ୍ତ୍ରର ବୈଦ୍ୟମାନେ ଏହାକୁ କଫ ଓ ପିତନାଶକର ଅବ୍ୟର୍ଥ ଔଷଧ ବୋଲି ଲେଖିଛନ୍ତି । ଯଦିଓ ଏହାର ଫଳ କଷା ତେବେ ଏହା ବ୍ରଣ ବା ବିସ୍ପୋଟକ କ୍ଷେତ୍ରରେ ମହୋଷଧି କାମ କରିଥାଏ । ସେହିପରି ପ୍ରାକୃତିକ ଉଦ୍ଭିଦ ତାଲିକାରେ ଗର୍ଭଣାର ଫୁଲର କେଶର ହିତକର ବୋଲି ତଥ୍ୟ ରହିଛି । ତେବେ ଯାହାହେଉନା କାହିଁକି ଉତ୍କଳୀୟ ପରମ୍ପରାରେ ଗର୍ଭଣା ସଂକ୍ରାନ୍ତି ବିଶେଷ କରି ଚାଷୀ ପୁଅପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂକ୍ରାନ୍ତି ଭାବରେ ସର୍ବତ୍ର ନିଷ୍ଠାର ସହିତ ପାଳିତ ହୋଇଥାଏ । ଆଜି ହେଉଛି ସେହି ଉତ୍କଳୀୟ ଚିନ୍ତା ଚେତନାର ଗର୍ଭଣା ସଂକ୍ରାନ୍ତି ।
