୩ କଲରାପତରିଆ ବାଘଛାଲ ଜବତ, ୩ଗିରଫ
ଝାରସୁଗୁଡ଼ା : କଲରାପତରିଆ ବାଘଛାଲ ରଖି ବିକ୍ରି ପାଇଁ ମସୁଧା କରୁଥିବା ସଂକ୍ରାନ୍ତରେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସ୍ବତନ୍ତ୍ର କାର୍ଯ୍ୟଦଳ (ଏସଟିଏଫ) ସ୍ଥାନୀୟ ପୁଲିସ ସହ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାର ତିନି ସ୍ଥାନରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଜିଲା କୋଲାବିରା ଥାନା ମାଲିଡିହି ନିକଟ ଯୋଗିଡିହିର ସୁମିତ ପଟେଲ, ସମ୍ବଲପୁର ଜିଲା ଯୁଯୋମୁରା ଥାନା ଟାମ୍ପରଗଡ଼ ନିକଟ ପଲସାମାଲର ଆଦିତ୍ୟ ସାହୁ ଏବଂ ବଲାଙ୍ଗୀର ସହର ସୁଦ୍ପଡ଼ା ବାସିନ୍ଦା କୃପା ସାହୁ।
ଶନିବାର ରାତି ଏସଟିଏଫ ଅଧିକାରୀମାନଙ୍କ ନେତୃତ୍ବରେ କୋଲାବିରାର ମାଲିଡିହି ଓ ଯୁଯୋମୁରାର ପଲସାମାଲରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଉପରୋକ୍ତ ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତଙ୍କ ଘରୁ କଲରାପତରିଆ ବାଘ ଛାଲ ମିଳିଥିଲା। ତଦନ୍ତକାରୀଦଳ ଉକ୍ତ ବାଘ ଛାଲ କେଉଁଠୁ ଆସିଲା ବୋଲି କୈଫତ ମାଗିଥିଲେ ହେଁ ଅଭିଯୁକ୍ତମାନେ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ। ଫଳସ୍ବରୂପ ଏସଟିଏଫ ମାମଲା ସଂଖ୍ୟା ୨୨/୧୫.୧୦.୨୦୨୨ରେ ଦଫା ୩୭୯/୪୧୧/୪୧୩/୧୨୦(ବି) ଆଇପିସି ଓ ବଣ୍ୟଜନ୍ତୁ ସଂରକ୍ଷଣ ଆଇନ ଧାରା ୫୧ରେ ମାମଲା ରୁଜୁ କରାଯାଇଛି। ଏହାସହ ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରି ଝାରସୁଗୁଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା, ହେଲେ ଜାମନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।
