ଫେକ ଆକାଉଣ୍ଟରେ ଟଙ୍କା ମଗାଯିବା ନେଇ ସାଇବର ଥାନାରେ ଏତଲା ଦେଲେ ସାଂସଦ ଅନୁଭବ
କଟକ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ଓ ଫେସ୍ବୁକରେ ତାଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଅର୍ଥ ମାଗୁଥିବା ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ଅଭିନେତା ସାଂସଦ ଅନୁଭବ ମହାନ୍ତି । ଏଥିସହିତ ସେ ଅର୍ଥନୈତିକ ଅପରାଧ ଥାନାରେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି । ଏତଲାରେ ସେ ଦର୍ଶାଇଛନ୍ତି ଯେ, ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି । ଏହି ଫେକ୍ ଆକାଉଣ୍ଟରେ ୧ ଲକ୍ଷ ୯୪ ହଜାର ଫଲୋଅର ଅଛନ୍ତି । ତେବେ ଫେକ୍ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍ କରିଦେଇଥିବାରୁ ସେ କୈାଣସି ପୋଷ୍ଟ ଦେଖିପାରୁନାହାନ୍ତି । ଏଥିସହିତ ଫେସ୍ବୁକରେ ମଧ୍ୟ ତାଙ୍କ ନାମରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ତୁରନ୍ତ ଉକ୍ତ ଫେକ୍ ଆକାଉଣ୍ଟ ଦୁଇଟିକୁ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଭବ ଅନୁରୋଧ କରିଛନ୍ତି ।
