ନୂଆଦିଲ୍ଲୀର ଶିଳ୍ପକଳା ଉତ୍ସବରେ ଓଡିଶାର ହସ୍ତଶିଳ୍ପ ମୟୁରଭଞ୍ଜର ସବାଇ, ଢୋକ୍ରା ଏବଂ ଅର୍ଗାନିକ ଆଚାର ସାମଗ୍ରୀ ସହ ଛଉନୃତ୍ୟକୁ ପ୍ରଶଂସା
ବାରିପଦା : ଦିଲ୍ଲୀର ଆଗା ଖାନ ହଲରେ ଅନୁଷ୍ଠିତ ସର୍ବଭାରତୀୟ ଶିଳ୍ପକଳା ଉତ୍ସବରେ ଚଳିତ ବର୍ଷ ଓଡିଶା ବିଶେଷ କରି ମୟୁରଭଂଜର ହସ୍ତଶିଳ୍ପ ସମସ୍ତଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ବିଗତ ୯୫ ବର୍ଷ ପୂର୍ବରୁ ୧୯୨୭ ମସିହାରେ ସ୍ଥାପିତ ଅଲ ଇଣ୍ଡିଆ ଓମେନ କନ୍ଫରେନ୍ସ ଦ୍ୱାରା ଏହି ଉତ୍ସବ ଗତ ବାର ବର୍ଷ ଧରି ଆୟୋଜିତ ହୋଇ ଆସୁଛି । ଏଥିରେ ସମଗ୍ର ଦେଶର ମହିଳା ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ବୟନ ଶିଳ୍ପ ଓ ଚିତ୍ରକଳା ଇତ୍ୟାଦି ଅନେକ ପ୍ରକାରର ଜିନିଷ ପତ୍ର ପ୍ରଦର୍ଶିତ ତଥା ବିକ୍ରି ବଟା ହୋଇଥାଏ । ଏହି ମେଳାରେ ଦେଶର ଅନେକ ବିଲୁପ୍ତ ପ୍ରାୟ ହସ୍ତଶିଳ୍ପକୁ ଅଗ୍ରାଧିକାର ଭିତିରେ ସ୍ଥାନ ଦିଆଯାଇ ସେଗୁଡିକ କୁ ପୁନରୁଦ୍ଧାର କରିବାରେ ଅଲ ଇଣ୍ଡିଆ ଓମେନ କନ୍ଫରେନ୍ସ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛି । ଚଳିତ ବର୍ଷ ଉକ୍ତ ସଂସ୍ଥାର ବରିଷ୍ଠ ସଙ୍ଗଠିକା ଶ୍ରୀମତୀ ସ୍ୱପ୍ନା ଆଚାର୍ଯ୍ୟଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡିଶାକୁ ମୁଖ୍ୟ ଥିମ ଭାବେ ନିଆ ଯାଇ ଓଡ଼ିଆ ଶିଳ୍ପୀ ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପକୁ ପ୍ରଦର୍ଶନ କରିବାର ସୁଯୋଗ ଦିଆ ଯାଇଥିଲା । ମୟୁରଭଂଜ ମହାରାଣୀ ଶ୍ରୀମତୀ ରଶ୍ମୀ ରାଜ୍ୟଲଷ୍ମୀ ଭଂଜଦେଓଙ୍କ ଆଗ୍ରହ ତଥା ଆର୍ôଥକ ସହାୟତା କ୍ରମେ ଶୁଳିଆପଦା ବ୍ଲକ ର ବଡଶୋଳ ସବାଇ ପ୍ରଡ୍ୟୁସର ଗ୍ରୁପର ସବାଇ କ୍ରାଫ୍ଟ, କୁଳିଅଣାର ଢ଼ୋକ୍ରା କ୍ରାଫ୍ଟ, ବାରିପଦା ସହରର ପାଲବଣି ସ୍ଥିତ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଗାନିକ ଆଚାର ଓ ମୟୁରଭଂଜ ଛଉନୃତ୍ୟ ଇତ୍ୟାଦି ସେଠାରେ ପ୍ରଦର୍ଶିତ ହୋଇ ସମସ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହାବ୍ୟତୀତ ବୟନିକା, ପିପିଲି ର ଚାନ୍ଦୁଆ, କଟକର ତାରକସି, ରଘୁରାଜପୁରର ତାଳପତ୍ର ପଟ୍ଟଚିତ୍ର ଆଦି ମଧ୍ୟ ଉକ୍ତ ଉତ୍ସବରେ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଶିଲା କାକଡେଙ୍କ ପୌରହିତ୍ୟରେ ବିଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ ଜାତୀୟ ସ୍ତରର ଉତ୍ସବକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଉଦଘାଟନ କରିଥିଲେ । ମହାରାଣୀ ରଶ୍ମୀ ରାଜ୍ୟଲଷ୍ମୀ ଭଂଜଦେଓ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ମହାସଚିବ ଶ୍ରୀମତୀ କୁଲଜିତ କୌର ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷା ଶ୍ରୀମତୀ ରେହାନା ବେଗମ ଉତ୍ସବର ପରିଚାଳନା କରିଥିଲେ । ଏହି ଅବସରରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ନିର୍ଦ୍ଦେଶକ ବିଭୁଦତ ଦାସଙ୍କ ନେତୃତ୍ୱ ତଥା ମୋରଡ଼ା ବିଧାୟକ ରାଜକିଶୋର ଦାସ ଙ୍କ ସହାୟତାରେ ଯାଇଥିବା ବଡ଼ଜାମବଣି ଛଉ ନୃତ୍ୟ ଦଳର କେବଳ ମହିଳା ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ୱାର ଡ୍ୟାନ୍ସ ଦିଲ୍ଲୀ ବାସୀଙ୍କୁ ଚକିତ କରି ବେଶ ପ୍ରଶଂସିତ ହୋଇଥିଲା ।
