ଧାମନଗର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧାମନଗର ଉପନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖ ଗେଜେଟ୍ ନୋଟିଫିକେସନ୍, ୧୪ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ୧୫ ତାରିଖ ନାମାଙ୍କନ ପତ୍ର ଯାଂଚ, ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ନଭେମ୍ବର ୩ ତାରିଖ ସକାଳ ୭ଟାଠାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ, ନଭେମ୍ବର ୬ ତାରିଖ ଭୋଟଗଣତି ଓ ନଭେମ୍ବର ୮ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଥିଲେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ । ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ, ୮୦ ବର୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ଅଟେ । ଏଥର ମଧ୍ୟ ଧାମନଗର ଉପନିର୍ବାଚନରେ ଏମ୍-୩ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର କରାଯିବ । ୪୬-ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୨ ଗୋଟି ବୁଥ୍ ରେ ଏଥର ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲାଟ୍ ଜରିଆରେ ସେମାନେ ଘରେ ରହି ମତଦାନ କରିପାରିବେ ଓ ଏଥି ନିମନ୍ତେ ୨୦ ଗୋଟି ପୁଲିଙ୍ଗ ପାର୍ଟିଙ୍କ ସହ ୨୦ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ପୂର୍ବ ନିର୍ବାଚନଗୁଡ଼ିକ ପରି ଏଥର ଧାମନଗର ଉପନିର୍ବାଚନରେ ଭୋଟର ଫଟୋ ପରିଚୟ ପତ୍ର ସହ ଅନ୍ୟ ୧୨ଗୋଟି ବିକଳ୍ପ ପରିଚୟ ପତ୍ର ମତଦାନ ସମୟରେ ଭୋଟରମାନେ ବ୍ୟବହାର କରିପାରିବେ । ଏଥର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ତିନିଗୋଟି ପର୍ଯ୍ୟାୟରେ ସେମାନଙ୍କ ସଂପର୍କରେ ପ୍ରଚାରପ୍ରସାର କରିବେ । ଏଥର ଧାମନଗର ଉପନିର୍ବାଚନରେ ୧୨୬ଗୋଟି ବୁଥ୍ ରେ ୱେବ୍ କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି । ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍ ରାଜ୍ୟ ପୋଲିସବଳ ନିୟୋଜିତ ହେବେ । ସମୁଦାୟ ୨୫୨ ଗୋଟି ବୁଥ୍ ମଧ୍ୟରୁ ୧୦୭ଟି ବୁଥ୍ କୁ ଉତେଜନାପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ଭାରତୀୟ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ କମୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ ଦାସ, ବିଜୁ ଜନତା ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଜୟନ୍ତ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଉପସଭାପତି ଶିବାନନ୍ଦ ରାୟଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
