ବିଶ୍ୱବିଦ୍ୟାଳୟରେ ସାନ୍ତାଳୀ ଚଳଚିତ୍ର ମହୋତ୍ସବ ଓ ତାଲିମ ଶିବିର ଉଦଘାଟିତ
ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ଭାରତୀୟ ସାନ୍ତାଳୀ ଚଳଚିତ୍ର ମହୋତ୍ସବ ଓ ତାଲିମ ଶିବିର ଆଜି ଉଦଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଓ ସାନ୍ତାଳୀ ଆର୍ଟ ଆଣ୍ଡ ପିଲ୍ମ ଡେଭେଲପମେଂଟ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ଉଦଘାଟନ କରି ଏଭଳି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଇତିହାସରେ ଏହା ଏକ ନୂତନ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ମନ୍ତ୍ରୀ ତ ଥା ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି, ବାରିପଦା ପୂର୍ଣ୍ଣଚନ୍ଦ୍ର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ କାନ୍ଦାନ ମାଝୀ, ସମାଜସେବୀ ଦିଗି ମୁର୍ମୁ, ଓଡ଼ିଶାର ପ୍ରଥମ ମହିଳା ଆଦିବାସୀ ସଂଗୀତ ନିର୍ଦ୍ଦେଶକ ହିସି ମୁର୍ମୁ, ସମାଜସେବୀ ଅନନ୍ତ ଆଲୋକ ବାସ୍କେ ପ୍ରମୁଖ ଯୋଗ ସମ୍ମାନିତ ଅତିଥି ଭାବେ ଦେଇ ସାନ୍ତାଳୀ ଚଳଚିତ୍ରର ସାଂପ୍ରତିକ ଦିଗ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରି ସାନ୍ତାଳୀ ଭାଷା, ସାହିତ୍ୟ, ସଂସ୍କୃତି, କଳାକୁ ବଂଚାଇ ରଖିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ଚଳଚିତ୍ର ନିର୍ମାଣର ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରାଯିବା ସହ ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସ୍ନାତକୋତର ସାନ୍ତାଳୀ ବିଭାଗ ମୁଖ୍ୟ ଡ. ଯତୀନ୍ଦ୍ର ନାଥ ବେଶ୍ରା ଏବଂ କଳାକାର ତଥା ନିର୍ଦ୍ଦେଶକ ଦୀପକ କୁମାର ବେଶ୍ରା ପରିଚାଳନା କରୁଛନ୍ତି ।
