ଗୁଜରାଟ ନିର୍ବାଚନ ; ଖୁବଶୀଘ୍ର ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ଓ ମତଦାନ ଡିସେମ୍ବର ୪ ସୁଦ୍ଧା ଶେଷ ହେବ ବୋଲି ମନେ କରାଯାଉଛି । ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଗୋଟିଏ ଦିନରେ ଘୋଷଣା ହୋଇପାରେ । ଯଦିଓ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ରେ ଶେଷ ହେବ, କିନ୍ତୁ ହିମାଚଳ ନିର୍ବାଚନ ଯେପରି ପ୍ରଭାବିତ ହେବ ନାହିଁ ସେଥିପାଇଁ ଗୁଜରାଟରେ ସମୟ ପୂର୍ବରୁ ନିର୍ବାଚନ ଶେଷ ହୋଇପାରେ ।
ତେବେ କେଉଁ କାରଣ ପାଇଁ କମିସନ ତାରିଖ ଘୋଷଣା କଲେ ନାହିଁ ? ଏହାର କାରଣ ସଂପର୍କରେ ସାମ୍ବାଦିକମାନେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କୁ ପ୍ରଶ୍ନ କରିଥିଲେ ବି ସେ ସିଧାସଳଖ କୌଣସି ଉତ୍ତର ଦେଇନଥିଲେ । ତେବେ ସେ କହିଥିଲେ ଏହି ରାଜ୍ୟର ନିର୍ବାଚନ ତାରିଖ ପରେ ଘୋଷଣା ହେବ । ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଦୁଇ ବିଧାନସଭାର ମିଆଦ ମଧ୍ୟରେ ୪୦ ଦିନର ଫରକ ରହିଛି । ଆହୁରି ମଧ୍ୟ ହିମାଚଳ ପ୍ରଦେଶରେ ନିର୍ବାଚନ କରିବା ପୂର୍ବରୁ ପାଣିପାଗ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ । କାରଣ ଆଗକୁ ଶୀତ ଦିନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବରଫ ପଡ଼ିବାର ସମ୍ଭାବନା ରହିଛି । ଏଣୁ ଶୀତପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହେବ । ଏଥିପାଇଁ ସାରା ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ରଖାଯାଇଛି । ୨୦୧୭ରେ ବି ଉଭୟ ରାଜ୍ୟର ନିର୍ବାଚନ ତାରିଖ ଅଲଗା ଅଲଗା ଦିନରେ ଘୋଷଣା କରାଯାଇଥିଲା । ଚଳିତ ହିମାଚଳ ବିଧାନସଭାର ମିଆଦ ଜାନୁଆରି ୮ରେ ଶେଷ ହେଉଥିବାବେଳେ ଗୁଜୁରାଟ ବିଧାନସଭାର ମିଆଦ ଫେବ୍ରୁଆରି ୧୮ରେ ଶେଷ ହେଉଛି ।
ସୂଚନା ଯେ, ନିର୍ବାଚନ ଆୟୋଗ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୧୨ରେ ହେବ ଓ ଡିସେମ୍ବର ୮ରେ ହେବ ଭୋଟ୍ ଗଣତି । ୨୦୧୭ରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ଯଥାକ୍ରମେ ଅକ୍ଟୋବର ୧୩ ଏବଂ ଅକ୍ଟୋବର ୨୫ରେ ହୋଇଥିଲା ।
