ବସ୍ରେ କଇଁଛ ଚୋରା ଚାଲାଣ : ୪୦ ଜବତ୍, ୧ ଗିରଫ
ଜଳେଶ୍ୱର : ବନ ବିଭାଗ ଓ ପୁଲିସ୍ ଆଖିରେ ଧୂଳିଦେଇ କେତେକ ମାଫିଆ କଇଁଛର ଚୋରାଚାଲାଣ କରି ଆସୁଥିବା ବେଳେ ଆଜି ବନ ବିଭାଗ ଏକ ବସ୍ରୁ ୪୦ଟି କଇଁଛ ଜବତ୍ କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ।
ଓଡିଶାରୁ ପଶ୍ଚିମବଂଗକୁ ବଜ୍ରକାପ୍ତା, କଇଁଛ, ବେଙ୍ଗ, ଧଳା ପେଚା, ରଂଗ ବଦଳାଉଥିବା ଏଣ୍ଡୁଅ, ଶୁଆ, ସାପ, ଦୁର୍ଲଭ ପ୍ରଜାତିର ଜୀବଜନ୍ତୁ ଚାରାରେ ଚାଲାଣ କରାଯାଇ ଆସୁଛି । ଏଗୁଡିକର ଚାହିଦା କୋଲକତା, ବାଂଲାଦେଶ ଓ ନେପାଳରେ ଅଧିକ ଥିବାରୁ ଏହାର ବ୍ୟାପକ ଚୋରାଚାଲାଣ ବିଭିନ୍ନ ସମୟରେ ହୋଇ ଆସୁଛି । ଗତ ସେପ୍ଟେମ୍ବର ମାସ ୭ତାରିଖରେ ବନବିଭାଗ ପକ୍ଷରୁ ଏକ ବାଇକ୍ ସହିତ ୮୭ଟି କଇଁଛ ଜବତ୍ କରି ଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ । ଆଜି ଧାମରାରୁ କାନ୍ଥି ଯାଉଥିବା ସାଇରାମ ବସ୍ରେ ୪୦ଟି କଇଁଛ ଚୋରା ଚାଲାଣ ହେଉଥିବା ବେଳେ୬୦ନଂ ଜାତୀୟ ଜଳେଶ୍ୱର ନିକଟ ରାଜପଥ ସୁବର୍ଣ୍ଣରେଖା ପୋଲ ନିକଟରୁ ସେସବୁ ଉଦ୍ଧାର କରାଯାଇଛି । ଏହାର ବ୍ୟବସାୟୀକୁ ବନବିଭାଗ ଅଟକ ରଖି ପଚାରାଉଚରା କରୁଥିବା ବେଳେ ତାର ନାମ ପ୍ରକାଶ କରିନାହିଁ । ଏଭଳି ଚୋରା ଚାଲାଣ ରୋକିବାକୁ ସାଧାରଣରେ ଦାବି ହେଉଛି ।
