ବଣ୍ଡାବ ଗୁଳିକାଣ୍ଡରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଆଜିର ଦିନରେ ମାଓବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ ୩ପୋଲିସ କର୍ମଚାରୀ
ବାରିପଦା : ୨୦୦୯ ଅକ୍ଟୋବର ୧୩ ତାରିଖରେ ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମ ଫୁଟବଲ ପଡ଼ିଆରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଥିବା ବେଳେ ସନ୍ଧ୍ୟା ସମୟରେ ଏହାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଜେଏମଏମର ରାଜ୍ୟ ସଭାପତି ତଥା ବର୍ତମାନ ବିଜେଡିର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶତାଧିକ ଫୁଟବଲ ପ୍ରେମୀ ଟୁର୍ଣ୍ଣାମେଂଟର ଚମ୍ପିୟାନ ଓ ରନର୍ସ ଅପ ଟିମକୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଫୁଟିଥିଲା ଗୁଳି । ଆରମ୍ଭ ହୋଇଥିଲା ମାଓବାଦୀଙ୍କର ତାଣ୍ଡବଲୀଳା । ଛତ୍ରଭଙ୍ଗ ଦେଇଥିଲେ ଶତାଧିକ ଫୁଟବଲ ପ୍ରେମୀଙ୍କ ସହ ଖେଳାଳୀ । ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କୁ ସୁରକ୍ଷା ଦେବା ନିମନ୍ତେ ମାଓବାଦୀଙ୍କ ସହ ମୁକାବିଲା କରିଥିଲେ ସେଠାରେ କର୍ତବ୍ୟରେ ରହିଥିବା ମୟୂରଭଂଜ ପୋଲିସର ଅଧିକାରୀ ଓ କର୍ମଚାରୀ ମାନେ । ଗୁଳି ସାମନାରେ ଛାତି ଦେଖାଇ ଶହୀଦ ହୋଇଥିଲେ ଚାନ୍ଦୁଆ ଥାନା ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମ । ଆଜିର ଦିନରେ ୩ଜଣ ପୋଲିସ ଶହୀଦ ହୋଇଥିବାରୁ ମୟୂରଭଂଜ ପୋଲିସ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶହୀଦ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ବାରିପଦା ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି ଶ୍ରଦ୍ଧାଂଜଳି ସଭାରେ ଅତିଥି ଭାବରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୁଷିକେଶ ଦ୍ୟାନଦେଓ ଖିଲାରୀ, ଏସଡିସି ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସହିତ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶହୀଦ ମାନଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଂଜଳି ଅର୍ପଣ କରିବା ସହିତ ଏକ ମହମବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଅବସରରେ ଶହୀଦ ପରିବାର ପକ୍ଷରୁ ଶହୀଦ ନାରାୟଣ ପ୍ରଧାନଙ୍କ ସ୍ତ୍ରୀ କନକଲତା ପ୍ରଧାନ ଏବଂ ପୁଅ ଦେବବ୍ରତ ପ୍ରଧାନ, ଶହୀଦ ରାଜେନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ରେଖା ମହାନ୍ତ, ଏବଂ ଶହୀଦ ଗହ୍ମା ହେମ୍ବ୍ରମଙ୍କ ସ୍ତ୍ରୀ କୁଇଲି ହେମ୍ବ୍ରମ ଉପସ୍ଥିତ ଥିଲେ । ଉକ୍ତ ଶ୍ରଦ୍ଧାଂଜଳି ସଭାକୁ ରିଜର୍ଭ ଇନିସପେକଟର କୁଳମଣି ଗିରି ପରିଚାଳନା କରିଥିବା ବେଳେ, ଜିଲ୍ଲା ହାବିଲଦାର କନେଷ୍ଟବଳ ସଂଘର ସଭାପତି ପ୍ରମୋଦ କୁମାର ଦାସଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତା ମାନେ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।
